ଦୈହିକ ସମ୍ପର୍କ ବିଷୟରେ ବ୍ୟବସ୍ଥା 
18
1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 
2 “ତୁମ୍ଭେ ଇସ୍ରାଏଲର ସନ୍ତାନଗଣଙ୍କୁ କୁହ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। 
3 ଅତୀତରେ ତୁମ୍ଭେମାନେ ମିଶର ଦେଶରେ ବାସ କରୁଥିଲ, ସେହି ଦେଶରେ ସେମାନେ କଲାପରି, ତୁମ୍ଭେମାନେ କରିବା ଉଚିତ୍ ନୁହଁ। ପୁଣି ଯେଉଁ କିଣାନ ଦେଶକୁ ମୁଁ ତୁମ୍ଭମାନଙ୍କୁ ଦେବାକୁ ଯାଉଅଛି, ସେଠାରେ ବାସ କରୁଥିବା ଲୋକମାନଙ୍କର ପ୍ରଥା ଅନୁସରଣ କରିବ ନାହିଁ କିମ୍ବା ସେମାନଙ୍କର ପ୍ରଥା ଅନୁସାରେ ଚଳିବ ନାହିଁ। 
4 ତୁମ୍ଭେମାନେ ଆମ୍ଭର ବିଧି ଓ ବ୍ୟବସ୍ଥା ପାଳନ କରିବ ଓ ତଦନୁସାରେ ଆଚରଣ କରିବ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ। 
5 ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭର ବିଧି ପାଳନ କରିବ, ତାହା କଲେ ତୁମ୍ଭେମାନେ ବଞ୍ଚିବ। ଆମ୍ଭେ ସଦାପ୍ରଭୁ ଅଟୁ। 
6 “ତୁମ୍ଭେମାନେ ଆପଣା କୁଟୁମ୍ବ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ। 
7 “ତୁମ୍ଭେ ତୁମ୍ଭର ମାତାଙ୍କ ସହିତ ଦୈହିକ ସମ୍ପର୍କ ରଖିବା ଉଚିତ୍ ନୁହେଁ। ଏହା କରିବା ଦ୍ୱାରା ତୁମ୍ଭମାନଙ୍କର ପିତା ପ୍ରତି ଅସମ୍ମାନ ହେବ। ତେଣୁ ନିଶ୍ଚୟ ତାଙ୍କ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। 
8 ତୁମ୍ଭେ ତୁମ୍ଭର ପିତାଙ୍କ ଭାର୍ଯ୍ୟା ସହିତ ଦୈହିକ ସମ୍ପର୍କ ରଖିବ ନାହିଁ, ଯଦିଓ ସେ ତୁମ୍ଭର ମା ନୁହେଁ, ତାହା ତୁମ୍ଭର ପିତାଙ୍କ ପ୍ରତି ଅସମ୍ମାନ ହେବ। 
9 “ତୁମ୍ଭେ ନିଜର ଭଗିନୀ, ଅର୍ଥାତ୍ ତୁମ୍ଭ ପିତୃକନ୍ୟା ବା ମାତୃକନ୍ୟା, ସେ ଗୃହରେ ଜନ୍ମ ହୋଇଥାଉ କିମ୍ବା ଅନ୍ୟତ୍ର ଜନ୍ମ ହୋଇଥାଉ, ତା’ ସହିତ ମଧ୍ୟ ଦୈହିକ ସମ୍ପର୍କ ରଖିବ ନାହିଁ। 
10 “ତୁମ୍ଭେ ନିଜ ପୌତ୍ରୀର କିମ୍ବା ଦୌହିତ୍ରୀର ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ନିଜ ଭବିଷ୍ୟଦ୍ ବଂଶଧର। 
11 “ତୁମ୍ଭେ ତୁମ୍ଭ ବିମାତା କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ, କାରଣ ସେ ତମ୍ଭର ପିତାଙ୍କଠାରୁ ଜନ୍ମି ଅଛି ଓ ସେ ତୁମ୍ଭର ଭଗିନୀ, ତା’ ସହିତ ଯୌନ ସମ୍ପର୍କ ରଖିବ ନାହିଁ। 
12 “ତୁମ୍ଭେ ନିଜର ପିଉସୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ପିତାଙ୍କ ଅତି ନିକଟ ସମ୍ପର୍କୀୟ। 
13 ତୁମ୍ଭେ ତୁମ୍ଭର ମାଉସୀ ସହିତ ମଧ୍ୟ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭ ମାଙ୍କର ଅତି ନିକଟ ସମ୍ପର୍କୀୟା। 
14 ତୁମ୍ଭେ ତୁମ୍ଭର କକାଙ୍କ ସ୍ତ୍ରୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ତାଙ୍କର ସ୍ତ୍ରୀଙ୍କୁ ଅନୁନୟ କର ନାହିଁ। ସେ ତୁମ୍ଭର ଖୁଢ଼ୀ। 
15 “ତୁମ୍ଭେ ତୁମ୍ଭର ପୁଅର ବୋହୂ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ପୁତ୍ରବଧୁ। ତୁମ୍ଭେ ତାହା ସହିତ ଯୌନ ସମ୍ପର୍କ ରଖିବ ନାହିଁ। 
16 “ତୁମ୍ଭେ ତୁମ୍ଭର ଭାତୃବଧୂ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେ ତୁମ୍ଭର ଭାଇଙ୍କର ସ୍ତ୍ରୀ ଅଟେ। ତାହା ତୁମ୍ଭର ଭାଇ ପ୍ରତି ଅସମ୍ମାନ ହେବ। 
17 “ତୁମ୍ଭେ କୌଣସି ସ୍ତ୍ରୀର ଓ ତାହାର କନ୍ୟା ସହିତ ଯୌନ ସମ୍ପର୍କ ରଖିବ ନାହିଁ। ତୁମ୍ଭେ ତାହାର ପୌତ୍ରୀ କିମ୍ବା ଦୌହିତ୍ରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେମାନେ ତା’ର ନିକଟ ସମ୍ପର୍କୀୟ। ଏପ୍ରକାର ଯୌନ ସମ୍ପର୍କ ଭୟଙ୍କର ଭାବରେ ନୀତି ବିରୁଦ୍ଧ। 
18 “ତୁମ୍ଭର ସ୍ତ୍ରୀ ଜୀବିତ ଥିଲେ ତୁମ୍ଭେ ତୁମ୍ଭର ଶାଳୀକୁ ବିବାହ କରି ତାହା ସହିତ ଯୌନ ସମ୍ପର୍କ ରଖିବା ଉଚିତ୍ ନୁହେଁ। 
19 “ପୁଣି କୌଣସି ରଜସ୍ୱଳା ନାରୀ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ସେସମୟରେ ସେ ଅଶୁଚି ଅଟେ। 
20 “ପୁଣି ତୁମ୍ଭେ କୌଣସି ପ୍ରତିବାସୀ ସ୍ତ୍ରୀ ସହିତ ଯୌନ ସମ୍ପର୍କ ରଖି ନିଜକୁ ଅଶୁଚି କରିବ ନାହିଁ। 
21 “ତୁମ୍ଭେ ନିଜ ବଂଶଜାତ କାହାକୁ ହିଁ ମୋଲକ୍ ଦେବତାର ଉଦ୍ଦେଶ୍ୟରେ ଉତ୍ସର୍ଗୀତ ହେବାକୁ ଦେବା ଉଚିତ୍ ନୁହଁ, କିମ୍ବା ତୁମ୍ଭେ ତୁମ୍ଭର ପରମେଶ୍ୱରଙ୍କ ପବିତ୍ର ନାମକୁ କଳୁଷିତ ନିଶ୍ଚୟ କରିବ ନାହିଁ। ମୁଁ ସଦାପ୍ରଭୁ ଅଟେ। 
22 “ତୁମ୍ଭେ କୌଣସି ପୁରୁଷ ସହିତ, ସ୍ତ୍ରୀଲୋକ ସହିତ ଯୌନ ସମ୍ପର୍କ ରଖିବ ନାହିଁ। କାରଣ ତାହା ଘୃଣ୍ୟ ପାପ। 
23 “ତୁମ୍ଭେ କୌଣସି ପଶୁ ସହିତ ଯୌନ ସମ୍ପର୍କ କରି ନିଜକୁ ଅଶୁଚି କରିବ ନାହିଁ। ଆଉ କୌଣସି ସ୍ତ୍ରୀ କୌଣସି ପ୍ରାଣୀ ସହିତ ଦୈହିକ ସମ୍ପର୍କ ରଖିବ ନାହିଁ। ଏହା ପ୍ରକୃତି ବିରୋଧ। 
24 “ତୁମ୍ଭେମାନେ ଏହିସବୁ ମଧ୍ୟରୁ କୌଣସି କ୍ରିୟା ଦ୍ୱାରା ନିଜକୁ ଅଶୁଚି କର ନାହିଁ। କାରଣ ଆମ୍ଭେ ଯେଉଁ ଦେଶୀୟ ଲୋକମାନଙ୍କୁ ତୁମ୍ଭ ସମ୍ମୁଖରୁ ଦୂର କରୁଅଛୁ, ସେମାନେ ଏହିସବୁ କ୍ରିୟା ଦ୍ୱାରା ଅଶୁଚି ହୋଇଅଛନ୍ତି। 
25 ସେମାନେ ଦେଶକୁ ଅଶୁଚି କରିଛନ୍ତି। ଏଣୁ ଆମ୍ଭେ ତାହାର ଅପରାଧ ତାହାକୁ ଭୋଗ କରାଉ ଅଛୁ ଓ ସେହି ଦେଶ ତାହାର ନିବାସୀମାନଙ୍କୁ ଉଦ୍ଗାର କରୁଅଛି। 
26 “ତେଣୁ ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ଓ ବିଧି ପାଳନ କରିବ। ସ୍ୱଦେଶୀୟ ହେଉ ବା ବିଦେଶୀୟ ହେଉ ତୁମ୍ଭେମାନେ ଏହି ସକଳ ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବ ନାହିଁ। 
27 କାରଣ ତୁମ୍ଭର ପୂର୍ବବର୍ତ୍ତୀ ଦେଶବାସୀ ଏହିସବୁ ଘୃଣାଯୋଗ୍ୟ କର୍ମ କରି ଦେଶକୁ ଅଶୁଚି କରିଛନ୍ତି। 
28 ତୁମ୍ଭେମାନେ ଯଦି ସେହି ଘୃଣାଯୋଗ୍ୟ କର୍ମ କର, ତେବେ ଦେଶକୁ ଅଶୁଚି କରିବ। ଦେଶ ଯେପରି ତୁମ୍ଭର ପୂର୍ବବର୍ତ୍ତୀ ନିବାସୀମାନଙ୍କୁ ଉଦ୍ଗାର କଲା, ସେହିପରି ସେ ତୁମ୍ଭମାନଙ୍କୁ ବି ଉଦ୍ଗାର କରିବ। 
29 ତେଣୁ ଯେଉଁମାନେ ଏହି ଘୃଣାଯୋଗ୍ୟ କର୍ମ ମଧ୍ୟରୁ କୌଣସି କର୍ମ କରିବେ, ତେବେ ସେହି କର୍ମକାରୀ ପ୍ରାଣୀମାନେ ନିଜ ନିଜ ଲୋକମାନଙ୍କଠାରୁ ପୃଥକ ରହିବେ। 
30 ଏଣୁ ତୁମ୍ଭେମାନେ ପୂର୍ବପରି ଘୃଣ୍ୟକର୍ମ କରି ନିଜକୁ ଅଶୁଚି କରିବ ନାହିଁ। ତୁମ୍ଭେମାନେ ଆମ୍ଭର ବ୍ୟବସ୍ଥା ପାଳନ କରିବ। ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର ଅଟୁ।” 
