ବଳିଦାନ ସମ୍ବନ୍ଧୀୟ ବିଧି 
15
1 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 
2 “ଇସ୍ରାଏଲର ଲୋକମାନଙ୍କୁ କୁହ। ତୁମ୍ଭେ ଯେତେବେଳେ ପ୍ରବେଶ କରିବ ମୁଁ ସେହି ଦେଶ ଦେଉଛି ତୁମ୍ଭେ କେବେ ପ୍ରବେଶ କରିବ। 
3 ତୁମ୍ଭମାନଙ୍କ ପ୍ରତିଜ୍ଞା ପୂରଣ କରିବା ପାଇଁ କିମ୍ବା ସ୍ୱେଚ୍ଛାଦତ୍ତ ଉପହାର ପାଇଁ କିମ୍ବା ତୁମ୍ଭମାନଙ୍କ ନିରୂପିତ ପର୍ବରେ ଗୋମେଷାଦି ପଲରୁ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ହୋମବଳି ଉତ୍ସର୍ଗ କରିବ। 
4 “ଯେଉଁ ଲୋକ ଶସ୍ୟ ନୈବେଦ୍ୟ ଉତ୍ସର୍ଗ କରୁଛି, ଏକ ଐଫାର ଦଶମାଂଶ ସରୁ ମଇଦା ଏକ ହିନର ଚତୁର୍ଥାଂଶ ତୈଳ ସହିତ ମିଶ୍ରିତ କରି ଆଣିବ। 
5 ପ୍ରତ୍ୟେକ ଥର ତୁମ୍ଭେ ଏକ ମେଷବତ୍ସ ହୋମାର୍ଥକ ବଳି ଓ ହିନର ଏକ ତରୁର୍ଥାଂଶ ଦ୍ରାକ୍ଷାରସର ପେୟନୈବେଦ୍ୟ ପ୍ରସ୍ତୁତ କରିବା ଉଚିତ୍। 
6 “ଆଉ ଏକ ମେଷ ନିମନ୍ତେ ତୁମ୍ଭେ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଏକ ହିନର ଏକ ତୃତୀୟାଂଶ ତୈଳରେ ମିଶ୍ରିତ ଏକ ଐଫାର ଦୁଇ ଦଶମାଂଶ ସରୁ ମଇଦାର ନୈବେଦ୍ୟ ପ୍ରସ୍ତୁତ କରିବ। 
7 ପୁଣି ତୁମ୍ଭେ ପେୟନୈବେଦ୍ୟ ନିମନ୍ତେ ହିନର ଏକ ତୃତୀୟାଂଶ ଦ୍ରାକ୍ଷାରସ ଉତ୍ସର୍ଗ କରିବ। ଏହିସବୁ ସଦାପ୍ରଭୁଙ୍କ ମଙ୍ଗଳାର୍ଥକ ଉପହାର ନିମନ୍ତେ। 
8 “ଆଉ ତୁମ୍ଭେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ନିମନ୍ତେ ଅବା ମାନସିକ ପୂରଣାର୍ଥକ ବଳି ନିମନ୍ତେ କିମ୍ବା ମଙ୍ଗଳାର୍ଥକ ଉପହାର ନିମନ୍ତେ ଯେବେ ଗୋବତ୍ସ ଉତ୍ସର୍ଗ କର, 
9 ତେବେ ସେହି ଗୋବତ୍ସ ସହିତ ଅର୍ଦ୍ଧହିନ ତୈଳମିଶ୍ରିତ ଏକ ଐଫାର ତିନି ଦଶମାଂଶ ସରୁ ମଇଦାର ଶସ୍ୟ ନୈବେଦ୍ୟ ଆଣିବା ଉଚିତ୍। 
10 ଆଉ ମଧ୍ୟ ତୁମ୍ଭେ ସଦାପ୍ରଭୁଙ୍କ ତୁଷ୍ଟିଜନକ ଆଘ୍ରାଣାର୍ଥକ ଅଗ୍ନିକୃତ ଉପହାରର ପେୟନୈବେଦ୍ୟ ନିମନ୍ତେ ଅର୍ଦ୍ଧହିନ ଦ୍ରାକ୍ଷାରସ ଆଣିବ। 
11 ଏହିରୂପେ ପ୍ରତ୍ୟେକ ଗୋରୁ, ପ୍ରତ୍ୟେକ ମେଷ, ପ୍ରତ୍ୟେକ ମେଷବତ୍ସ ଅବା ଛାଗବତ୍ସ ସଦାପ୍ରଭୁଙ୍କ ନିମନ୍ତେ ଉତ୍ସର୍ଗ ପାଇଁ ପ୍ରସ୍ତୁତ କରାଯିବା ଉଚିତ୍। 
12 ତୁମ୍ଭେମାନେ ପ୍ରସ୍ତୁତ କରିବା ସଂଖ୍ୟା ଅନୁସାରେ ପ୍ରତ୍ୟେକ ପଶୁ ପ୍ରତି ସେମାନଙ୍କ ସଂଖ୍ୟା ପ୍ରାମାଣେ ସେହିରୂପେ କରିବ। 
13 “ପ୍ରତ୍ୟେକ ନାଗରୀକ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ଉତ୍ସର୍ଗ କଲେ ଏହି ବ୍ୟବସ୍ଥା ଅନୁସାରେ ଏହିସବୁ କାର୍ଯ୍ୟ କରିବ। 
14 ଯଦି ତୁମ୍ଭ ସହିତ ବାସ କରୁଥିବା ଜଣେ ବିଦେଶୀ ଲୋକ କିମ୍ବା ସେ ସମନ୍ଧରେ କୌଣସି ବିଦେଶୀଗତ ସ୍ଥାୟୀ ଅଧିବାସୀ କିମ୍ବା ଯେକେହି ତୁମ୍ଭ ସହିତ ଦୀର୍ଘଦିନ ଧରି ବାସ କରୁଥିବା ଲୋକ ସଦାପ୍ରଭୁଙ୍କୁ ସୁବାସିତ ଉପହାର ଅର୍ପଣ କରିବାକୁ ଇଚ୍ଛା କରେ, ତେବେ ତୁମ୍ଭ ପ୍ରତି ପ୍ରଯୁଜ୍ୟ ହେଉଥିବା ସମାନ ପଦ୍ଧତି ତା’ ପାଇଁ ଅନୁସୃତ ହେବା ଉଚିତ୍। 
15 ସମାଜ ନିମନ୍ତେ ଅର୍ଥାତ୍ ତୁମ୍ଭମାନଙ୍କ ନିମନ୍ତେ ଓ ପ୍ରବାସକାରୀ ବିଦେଶୀ ନିମନ୍ତେ ଏକ ବ୍ୟବସ୍ଥା ହେବ। ଏହା ତୁମ୍ଭମାନଙ୍କ ପୁରୁଷାନୁକ୍ରମେ ଅନନ୍ତକାଳୀନ ବିଧି; ସଦାପ୍ରଭୁଙ୍କ ଦୃଷ୍ଟିରେ ତୁମ୍ଭେମାନେ ଓ ବିଦେଶୀମାନେ ସମାନ। 
16 ତୁମ୍ଭମାନଙ୍କ ନିମନ୍ତେ ଓ ତୁମ୍ଭମାନଙ୍କ ମଧ୍ୟରେ ବିଦେଶୀ ମୂଳ ବ୍ୟକ୍ତି ନିମନ୍ତେ ଏକ ବ୍ୟବସ୍ଥା ଓ ଏକ ବିଧି ହେବ।” 
17 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 
18 “ମୁଁ ତୁମ୍ଭମାନଙ୍କୁ ଯେଉଁ ଦେଶକୁ ନେଇଯାଉଅଛି, ସେହି ଦେଶରେ ଉପସ୍ଥିତ ହେଲେ ତୁମ୍ଭେମାନେ ଏହିରୂପେ କରିବ। 
19 ତୁମ୍ଭେମାନେ ସେହି ଦେଶର ଅନ୍ନ ଭୋଜନ କରିବା ବେଳେ ସଦାପ୍ରଭୁଙ୍କୁ ଏହାର କିଛି ଅଂଶ ଅର୍ପଣ କରିବା ଉଚିତ୍। 
20 ତୁମ୍ଭେମାନେ ନିଜ ନିଜ ପ୍ରଥମ ଶସ୍ୟରୁ ଉତ୍ତୋଳନୀୟ ଉପହାର ନିମନ୍ତେ ଏକ ପିଠା ଉତ୍ସର୍ଗ କରିବ। ଯେପରି ଶସ୍ୟ ମର୍ଦ୍ଦନ ସ୍ଥାନରେ ଉତ୍ତୋଳନୀୟ ଉପହାର, ସେହିପରି ତାହା ଉତ୍ତୋଳନ କରିବା ଉଚିତ୍। 
21 ତୁମ୍ଭେମାନେ ପୁରୁଷାନୁକ୍ରମେ ଆପଣା ଆପଣା ପ୍ରଥମ ଦଳା ଅଟାର ଏକ ଅଂଶ ଉତ୍ସର୍ଗ କରିବ। 
22 “ଯେତେବେଳେ ତୁମ୍ଭେମାନେ ଭୁଲରେ ଏବଂ ଏହିସବୁ ଆଜ୍ଞାଗୁଡ଼ିକ ପାଳନ କର ନାହିଁ, ଯାହା ସଦାପ୍ରଭୁ ମୋଶାଙ୍କୁ କହିଲେ। 
23 ସଦାପ୍ରଭୁ ମୋଶାଙ୍କ ଦ୍ୱାରା ସେ ସମସ୍ତ ଆଜ୍ଞା ଦେଇଛନ୍ତି। ସେହିସବୁ ଆଜ୍ଞା ସଦାପ୍ରଭୁ ଦେବା ଦିନଠାରୁ ପୁରୁଷାନୁକ୍ରମେ ଚିରକାଳ ପାଳନ କରିବା ଉଚିତ୍। 
24 ଯଦି ତାହା ମଣ୍ତଳୀର ଅଗୋଚରରେ ଭ୍ରାନ୍ତିରେ ହୋଇଥାଏ ତେବେ ସମସ୍ତ ମଣ୍ତଳୀ ତୁଷ୍ଟିଜନକ ଆଘ୍ରାଣାର୍ଥେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମ ନିମନ୍ତେ ଏକ ଗୋବତ୍ସ ଓ ବିଧିମତେ ତାହା ସହିତ ତହିଁର ଭକ୍ଷ୍ୟ ନୈବେଦ୍ୟ ଓ ତହିଁର ପେୟନୈବେଦ୍ୟ ଏବଂ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଅର୍ପଣ କରିବା ଉଚିତ୍। 
25 “ଆଉ ଯାଜକ ଇସ୍ରାଏଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାୟଶ୍ଚିତ କରିବା ଉଚିତ୍; ତହିଁରେ ସେମାନେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସେମାନେ ସେହି ଭ୍ରାନ୍ତି ସକାଶେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ନିଜ ନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି। 
26 ଇସ୍ରାଏଲର ସମସ୍ତ ଲୋକ ଓ ବିଦେଶୀ ମୂଳ ବାସୀନ୍ଦା କ୍ଷମା ପାଇବେ। କାରଣ ସେହି ସମସ୍ତ ଲୋକମାନେ ଭୁଲ୍ କରିଥିଲେ। 
27 “ଆଉ ଯଦି ଜଣେ ବ୍ୟକ୍ତି ଅନିଛାରେ ପାପ କରେ, ତେବେ ସେ ପାପାର୍ଥକ ବଳିରୂପେ ଏକ ବର୍ଷୀୟ ଏକ ଛାଗବତ୍ସ ଆଣିବା ଉଚିତ୍। 
28 ଯେଉଁ ଲୋକ ଅନିଛାରେ ଅପରାଧ କରେ, ଯାଜକ ତାହା ପାଇଁ ପ୍ରାୟଶ୍ଚିତ କରିବ, ତହିଁରେ ତାକୁ କ୍ଷମା କରାଯିବ। 
29 ଇସ୍ରାଏଲର ସମସ୍ତ ଲୋକଙ୍କ ନିମନ୍ତେ ଓ ସେମାନଙ୍କ ମଧ୍ୟରେ ବାସ କରୁଥିବା ବିଦେଶୀ ମୂଳ ବାସୀନ୍ଦା ନିମନ୍ତେ ଅନିଛାରେ କରାଯାଇଥିବା ପାପର ପ୍ରାୟଶ୍ଚିତ ନିମନ୍ତେ ଏକା ବ୍ୟବସ୍ଥା ହେବ। 
30 “ଯଦି ଯେଉଁ ବ୍ୟକ୍ତି ଉଦ୍ଦେଶ୍ୟମୂଳକ ଭାବରେ ପାପକର୍ମ କରେ ସେ ଇସ୍ରାଏଲୀୟ କି ବିଦେଶୀ ମୂଳ ସ୍ଥାୟୀ ବାସୀନ୍ଦା ହେଉ, ଯଦି ସଦାପ୍ରଭୁଙ୍କର ନିନ୍ଦା କରେ, ତେବେ ସେ ବ୍ୟକ୍ତି ଆପଣା ଲୋକଙ୍କଠାରୁ ବହିସ୍କାର ହେବ। 
31 କାରଣ ସେ ସଦାପ୍ରଭୁଙ୍କର ବାକ୍ୟ ଅବଜ୍ଞା କଲା ଓ ତାଙ୍କର ଆଜ୍ଞା ଭଙ୍ଗ କଲା, ତେଣୁ ସେ ବ୍ୟକ୍ତି ନିଶ୍ଚିତ ବହିସ୍କାର ହେବ ଓ ତା’ର ପାପ ସେ ବହନ କରିବ।” 
ବିଶ୍ରାମବାରରେ ଏକବ୍ୟକ୍ତି କାର୍ଯ୍ୟ କରିବା 
32 ସେତେବେଳେ ଇସ୍ରାଏଲ ଥିବା ସମୟରେ ଗୋଟିଏ ବ୍ୟକ୍ତିକୁ ବିଶ୍ରାମ ବାରରେ କାଠ ସଂଗ୍ରହ କରୁଥିବାର ଦେଖିଲେ। 
33 ପୁଣି ଯେଉଁମାନେ ତାକୁ କାଠ ସଂଗ୍ରହ କରୁଥିବାର ଦେଖିଲେ ସେମାନେ ମୋଶା ଓ ହାରୋଣ ନିକଟକୁ ତାକୁ ଆଣିଲେ ଓ ସମସ୍ତ ମଣ୍ତଳୀ ତା’ର ଗ୍ଭରିପଟେ ଏକତ୍ରିତ ହେଲେ। 
34 ଆଉ ସେମାନେ ତାହାକୁ ସେଠାରେ ରଖିଲେ। କାରଣ ତା’ ପ୍ରତି କି ପ୍ରକାର ଶାସ୍ତି ବିଧାନ ହେବ ସେମାନେ ଜାଣି ନ ଥିଲେ। 
35 ତା’ପରେ ସଦାପ୍ରଭୁ ମୋଶାଙ୍କୁ କହିଲେ, “ସେ ମନୁଷ୍ୟକୁ ଆଇନ ସଙ୍ଗତ ଦଣ୍ତ ଦିଆଯିବ। ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରେ ପଥର ପକାଇ ବଧ କରିବେ।” 
36 ତେଣୁ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ସମଗ୍ର ମଣ୍ତଳୀ ତାହାକୁ ଛାଉଣି ବାହାରକୁ ଆଣି ପଥର ଫିଙ୍ଗି ହତ୍ୟା କଲେ। 
ପରମେଶ୍ୱରଙ୍କ ଆଜ୍ଞାକୁ ସ୍ମରଣ କରିବାର ମାର୍ଗ 
37 ଅନନ୍ତର ସଦାପ୍ରଭୁ ମୋଶାଙ୍କୁ କହିଲେ, 
38 “ଇସ୍ରାଏଲ ଲୋକମାନଙ୍କୁ କୁହ, ଏହି ଆଜ୍ଞା ଜଣାଇ ଦିଅ, ସେମାନେ ନିଜ ନିଜ ବସ୍ତ୍ରର ଅଞ୍ଚଳରେ ଝାଲର ପ୍ରସ୍ତୁତ ଓ ପ୍ରତ୍ୟେକ ଅଞ୍ଚଳର ଝାଲର ଉପରେ ନୀଳ ସୂତ୍ର ଦିଅନ୍ତୁ। ପୁରୁଷାନୁକ୍ରମେ ତାକୁ ଚିରକାଳ ପରିଧାନ କରିବା ଉଚିତ୍। 
39 ତୁମ୍ଭେମାନେ ଯେପରି ସେହି ଝାଲର ଏକାଠି ବନ୍ଧା ହୋଇଥିବା ଦେଖି ସଦାପ୍ରଭୁଙ୍କର ସମସ୍ତ ଆଜ୍ଞା ମନେ କରି ପାଳନ କରିବ। ଆଉ ତୁମ୍ଭେମାନେ ସଦାପ୍ରଭୁଙ୍କ ଆଜ୍ଞାକୁ ଭୁଲି ମନ ଓ ଚକ୍ଷୁ ଅନୁସାରେ ବ୍ୟଭିଗ୍ଭର କର ନାହିଁ। 
40 ତୁମ୍ଭେମାନେ ମୋର ସସସ୍ତ ଆଜ୍ଞା ସ୍ମରଣ କରି ପାଳନ କରିବା ଉଚିତ୍। ତୁମ୍ଭେମାନେ ତୁମ୍ଭମାନଙ୍କର ପରମେଶ୍ୱରଙ୍କର ପବିତ୍ର ଲୋକ ହେବା ଉଚିତ୍। 
41 ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ୱର। ମୁଁ ତୁମ୍ଭମାନଙ୍କର ପରମେଶ୍ୱର ହେବାକୁ ତୁମ୍ଭମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଅଛି।” 
