ଗୀତସଂହିତା 
 
ପ୍ରଥମ ପୁସ୍ତକ 
 1
(ଗୀତସଂହିତା 1-41) 
1 ଜଣେ ବ୍ୟକ୍ତି ପ୍ରକୃତରେ ଆଶୀର୍ବାଦ ଗ୍ରହଣ କରିବ, 
ଯଦି ସେ ଦୁଷ୍ଟ ଲୋକଙ୍କ ଉପଦେଶ ଗ୍ରହଣ କରେ ନାହିଁ, 
ପାପୀମାନଙ୍କ ପରି ଜୀବନଯାପନ କରେ ନାହିଁ, 
ସେହି ଲୋକମାନଙ୍କ ସହିତ ତା’ର ସମୟ କଟାଏ ନାହିଁ, ଯେଉଁମାନେ କି ପରମେଶ୍ୱରଙ୍କୁ ସମ୍ମାନ ଦେଖାନ୍ତି ନାହିଁ, 
2 ଉତ୍ତମ ବ୍ୟକ୍ତି ସଦାପ୍ରଭୁଙ୍କ ପ୍ରତ୍ୟେକ ବ୍ୟବସ୍ଥାକୁ ଶ୍ରଦ୍ଧାରେ ଗ୍ରହଣ କରେ 
ଓ ଦିନରାତି ସଦାପ୍ରଭୁଙ୍କ ବ୍ୟବସ୍ଥା ଧ୍ୟାନ କରୁଥାଏ। 
3 ତେଣୁ ସେହି ବ୍ୟକ୍ତି ଅଧିକ ବଳଶାଳୀ ହୁଏ, 
ପ୍ରଚୁର ପାଣି ପାଉଥିବା ବୃକ୍ଷର ସ୍ଥିତି ପରି। 
ସେହି ବ୍ୟକ୍ତି ଠିକ୍ ସମୟରେ ଫଳ ଦେଉଥିବା ଗୋଟିଏ ବୃକ୍ଷପରି ଅଟେ। 
ସେହି ବ୍ୟକ୍ତି ସେହି ବୃକ୍ଷ ପରି ଶକ୍ତିଶାଳୀ, 
ଯାହାର ପତ୍ର କେବେହେଲେ ଶୁଖିଯାଏ ନାହିଁ। 
ସେ ଯାହା କରେ, ତହିଁରେ କୃତକାର୍ଯ୍ୟ ହୁଏ। 
4 ଦୁଷ୍ଟ ଲୋକମାନେ ସେପରି ନୁହନ୍ତି। 
ଦୁଷ୍ଟ ଲୋକମାନେ କେବଳ ‘ଚୋପା’ ବା ‘ତୁଷ’ ଭଳି ଯାହାକୁ କି ସହଜରେ ପବନ ଉଡ଼ାଇ ନେଇପାରେ। 
5 ଯଦି ଧାର୍ମିକ ବ୍ୟକ୍ତିମାନେ ଏକତ୍ରିତ ହୋଇ କୌଣସି ମକଦ୍ଦମା ଫଇସଲା କରିବାକୁ ଯିବେ, ତାହାହେଲେ ଦୁଷ୍ଟ ଲୋକମାନେ ସହଜରେ ଦୋଷୀ ସାବ୍ୟସ୍ତ ହୋଇଯିବେ। 
ସେହି ପାପୀମାନେ କେବେହେଲେ ନିରପରାଧୀ ବୋଲି ପ୍ରମାଣିତ ହୋଇ ପାରିବେ ନାହିଁ। 
6 କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିମାନଙ୍କୁ ରକ୍ଷା କରନ୍ତି, 
ଦୁଷ୍ଟ ଲୋକମାନଙ୍କର କାର୍ଯ୍ୟ ବିନଷ୍ଟ କରନ୍ତି। 
