108
ଦାଉଦଙ୍କ ପ୍ରଶଂସାପୂର୍ଣ୍ଣ ଏକ ଗୀତ। 
1 ହେ ପରମେଶ୍ୱର, 
ମୁଁ ଗୀତ ଗାନ ଓ ପ୍ରଶଂସା କରିବି, 
ମୋର ପ୍ରାଣ ଜାଗ୍ରତ ହୁଅ। 
2 ଜାଗ୍ରତ ହୁଅ! ହେ ମୋର ପ୍ରାଣ, ଜାଗ୍ରତ ହୁଅ! ନେବଲ ଓ ବୀଣା, ଜାଗ୍ରତ ହୁଅ, ମୁଁ ଅତି ପ୍ରଭାତରେ ଜାଗ୍ରତ ହେବି। 
3 ସଦାପ୍ରଭୁ, ମୁଁ ଜାତିମାନଙ୍କ ମଧ୍ୟରେ ତୁମ୍ଭର ପ୍ରଶଂସା କରିବି। 
ମୁଁ ଲୋକ ସମୂହରେ ତୁମ୍ଭର ପ୍ରଶଂସା ଗାନ କରିବି। 
4 ସଦାପ୍ରଭୁ ତୁମ୍ଭର ପ୍ରେମ ଆକାଶଠାରୁ ମହତ୍। 
ତୁମ୍ଭର ବିଶ୍ୱାସନୀୟତା ଗଗନସ୍ପର୍ଶୀ ଆକାଶ ପର୍ଯ୍ୟନ୍ତ ପହଞ୍ଚେ। 
5 ପରମେଶ୍ୱର, ତୁମ୍ଭର ମହାନତାକୁ ଆକାଶ ମଣ୍ତଳରେ ଦେଖାଅ। 
ତୁମ୍ଭର ମହିମା ସାରା ପୃଥିବୀକୁ ଦେଖିବାକୁ ଦିଅ। 
6 ହେ ପରମେଶ୍ୱର, ଏପରି କିଛି କର ଯେଉଁଥିରେ ତୁମ୍ଭର ପ୍ରିୟତମଗଣ ରକ୍ଷାପାଇବେ। 
ମୋ’ ପ୍ରାର୍ଥନାର ଉତ୍ତର ଦିଅ। 
ରକ୍ଷା କରିବାକୁ ତୁମ୍ଭର ମହାଶକ୍ତି ବ୍ୟବହାର କର। 
7 ପରମେଶ୍ୱର, ତାଙ୍କ ପବିତ୍ର ମନ୍ଦିରରେ ଉତ୍ତର ଦେଲେ, 
“ମୁଁ ଯୁଦ୍ଧରେ ଜିତିବି ଏବଂ ଏହି ଜୟଲାଭରେ ଆନନ୍ଦିତ ହେବି। 
ଏବଂ ଏହି ଦେଶକୁ ମୋର ଲୋକମାନଙ୍କ ମଧ୍ୟରେ ବାଣ୍ଟି ଦେବି। 
ମୁଁ ଶିଖିମ୍କୁ ସେମାନଙ୍କୁ ଦେବି। 
ସୁକ୍କୋତ ଉପତ୍ୟକାକୁ ସେମାନଙ୍କୁ ଦେବି। 
8 ଗିଲିୟଦ୍ ମୋର, ମନଃଶି ମୋର, ଇଫ୍ରୟିମ ମୋର ଶିରସ୍ତ୍ରାଣ, ଯିହୁଦା ମୋର ରାଜଦଣ୍ଡ ସ୍ୱରୂପ। 
ମୋୟାବ ମୋର ପାଦର ପ୍ରକ୍ଷାଳନପାତ୍ର। 
ଇଦୋମ୍ ମୋର ପାଦୁକା ବହିବ। 
9 ମୁଁ ପଲେଷ୍ଟୀୟମାନଙ୍କୁ ପରାସ୍ତ କରିବି 
ଏବଂ ଜୟଧ୍ୱନି କରିବି।” 
10 କିଏ ମୋତେ ଶତ୍ରୁମାନଙ୍କ ଦୁର୍ଗକୁ ନେଇଯିବ? କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? 
11 କିଏ ମୋତେ ସେହି ସକଳ ସହରକୁ ନେବ? 
କିଏ ଇଦୋମ ବିରୁଦ୍ଧରେ ଯୁଦ୍ଧ କରିବାରେ ମୋର ନେତୃତ୍ୱ ନେବ? ତୁମ୍ଭେ ନୁହଁ କି, ପରମେଶ୍ୱର? କିନ୍ତୁ ତୁମ୍ଭେ ଆମ୍ଭକୁ ପରିତ୍ୟାଗ କଲ। 
ତୁମ୍ଭେ ଆମ୍ଭ ସୈନ୍ୟମାନଙ୍କ ସହିତ ଆଉ ଯାଉ ନାହଁ। 
12 ହେ ପରମେଶ୍ୱର, ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବାରେ ଆମ୍ଭକୁ ସାହାଯ୍ୟ କର। 
ଲୋକମାନେ ଆମ୍ଭକୁ ସାହାଯ୍ୟ କରି ପାରିବେ ନାହିଁ। 
13 କେବଳ ପରମେଶ୍ୱର ଆମ୍ଭକୁ ଶକ୍ତିଶାଳୀ କରି ପାରିବେ। 
ପରମେଶ୍ୱର ଆମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରିବେ। 
