135
1 ସଦାପ୍ରଭୁଙ୍କର ପ୍ରଶଂସା କର। 
ସଦାପ୍ରଭୁଙ୍କ ନାମର ପ୍ରଶଂସା କର। 
ହେ ସଦାପ୍ରଭୁଙ୍କର ଦାସମାନେ, ତାଙ୍କୁ ପ୍ରଶଂସା କର। 
2 ତୁମ୍ଭେ ଯେଉଁ ଲୋକମାନେ ସଦାପ୍ରଭୁଙ୍କର ମନ୍ଦିରରେ ଛିଡ଼ା ହୋଇଅଛ। 
ଯେଉଁମାନେ ତାଙ୍କ ପ୍ରାଙ୍ଗଣରେ ଛିଡ଼ା ହୋଇଅଛ, ତାଙ୍କର ଧନ୍ୟବାଦ କର। 
3 ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମୟ ଅଟନ୍ତି। 
ତାଙ୍କ ନାମର ପ୍ରଶଂସା ଗାନ କର, କାରଣ ଏହା ଆନନ୍ଦ ଆଣେ। 
4 ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ। 
ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ। 
5 ମୁଁ ଜାଣେ ସଦାପ୍ରଭୁ ମହାନ ଅଟନ୍ତି। 
ଆମ୍ଭମାନଙ୍କର ପ୍ରଭୁ ସମସ୍ତ ଦେବତାମାନଙ୍କ ଅପେକ୍ଷା ଶ୍ରେଷ୍ଠ। 
6 ସ୍ୱର୍ଗରେ, ପୃଥିବୀରେ, ସମୁଦ୍ରରେ ଓ ସମଗ୍ର ବାରିଧିରେ 
ସଦାପ୍ରଭୁ ଯାହା ଇଚ୍ଛା କରନ୍ତି, ତାହା କରନ୍ତି। 
7 ପରମେଶ୍ୱର ପୃଥିବୀର ଉପରେ ଆକାଶ ସୃଷ୍ଟି କରିଅଛନ୍ତି। 
ସେ ବର୍ଷା ସହିତ ବିଜୁଳି କରାନ୍ତି। 
ଏବଂ ସେ ତାଙ୍କର ଭଣ୍ଡାର ଘରୁ ପବନ ପ୍ରବାହୀତ କରାନ୍ତି। 
8 ପରମେଶ୍ୱର ମିଶରର ସମସ୍ତ ପ୍ରଥମଜାତ ମନୁଷ୍ୟ ଓ ପଶୁଗଣଙ୍କୁ ହତ୍ୟା କଲେ। 
9 ପରମେଶ୍ୱର ମିଶରରେ ବହୁତ ଆଶ୍ଚର୍ଯ୍ୟ ଓ ଅଦ୍ଭୂତ କାର୍ଯ୍ୟମାନ କଲେ। 
ସେ ସେଗୁଡ଼ିକୁ ଫାରୋ ଓ ତାଙ୍କର ପଦାଧିକାରୀମାନଙ୍କ ବିପକ୍ଷରେ ବ୍ୟବହାର କଲେ। 
10 ପରମେଶ୍ୱର ଅନେକ ଗୋଷ୍ଠୀକୁ ପରାସ୍ତ କଲେ। 
ସେ ବହୁତ ଶକ୍ତିଶାଳୀ ରାଜାମାନଙ୍କୁ ହତ୍ୟା କଲେ। 
11 ପରମେଶ୍ୱର ଇମୋରୀୟମାନଙ୍କ ରାଜା ସୀହୋନକୁ 
ଓ ବାଶନର ରାଜା ଓଗ୍କୁ 
ଏବଂ କିଣାନର ସକଳ ରାଜ୍ୟକୁ ପରାସ୍ତ କଲେ। 
12 ଆଉ ସଦାପ୍ରଭୁ ସେମାନଙ୍କର ଦେଶ ଇସ୍ରାଏଲକୁ ଦେଲେ। 
ସଦାପ୍ରଭୁ ସେହି ଭୂମି ତାଙ୍କର ନିଜର ଲୋକମାନଙ୍କୁ ଦେଲେ। 
13 ହେ ସଦାପ୍ରଭୁ, ତୁମ୍ଭ ନାମ ଅନନ୍ତକାଳ ପାଇଁ ପ୍ରସିଦ୍ଧ ହେବ। 
ହେ ସଦାପ୍ରଭୁ, ତୁମ୍ଭଙ୍କୁ ଲୋକମାନେ ଚିରଦିନ ପାଇଁ ସ୍ମରଣ କରିବେ। 
14 ସଦାପ୍ରଭୁ ତାଙ୍କ ଲୋକମାନଙ୍କ ପ୍ରତି ରକ୍ଷା କରନ୍ତି। 
ସେ ତାଙ୍କର ସେବକମାନଙ୍କ ପ୍ରତି ଦୟା ଦେଖାନ୍ତି। 
15 ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। 
ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା। 
16 ସେହି ମୂର୍ତ୍ତିମାନଙ୍କର ମୁଖ ଅଛି ମାତ୍ର ସେମାନେ କଥା କହିପାରିବେ ନାହିଁ। 
ସେମାନଙ୍କର ଆଖି ଅଛି, କିନ୍ତୁ ସେମାନେ ଦେଖି ପାରିବେ ନାହିଁ। 
17 ସେମାନଙ୍କର କାନ ଅଛି ମାତ୍ର ସେମାନେ ଶୁଣି ପାରିବେ ନାହିଁ। 
ସେମାନଙ୍କର ନାକ ଅଛି, କିନ୍ତୁ ନିଶ୍ୱାସପ୍ରଶ୍ୱାସ ନାହିଁ। 
18 ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି, 
ସେମାନେ ସେମାନଙ୍କ ତୁଲ୍ୟ ହେବେ। 
19 ହେ ଇସ୍ରାଏଲର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। 
ହେ ହାରୋଣର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। 
20 ହେ ଲେବୀର ପରିବାର, ସଦାପ୍ରଭୁଙ୍କର ପ୍ରଶଂସା କର। 
ତୁମ୍ଭେ ଯିଏକି ସଦାପ୍ରଭୁଙ୍କୁ ଭୟ କର, ସଦାପ୍ରଭୁଙ୍କର ପ୍ରଶଂସା କର। 
21 ଯିରୁଶାଲମବାସୀ, 
ସଦାପ୍ରଭୁ ସିୟୋନଠାରୁ ଧନ୍ୟ ହୁଅନ୍ତୁ। 
ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର। 
