137
1 ଆମ୍ଭେମାନେ ବାବିଲୀୟ ନଦୀ ନିକଟରେ ସିୟୋନକୁ ସ୍ମରଣ କଲାବେଳେ 
ସେଠାରେ ବସି ରୋଦନ କଲୁ। 
2 ଆମ୍ଭେମାନେ ସେଠାରେ ଥିବା ବାଇଶୀ ବୃକ୍ଷରେ ନିଜ ନିଜର ବୀଣା ଟଙ୍ଗାଇ ରଖିଲୁ। 
3 ବାବିଲରେ ଯେଉଁ ଲୋକମାନେ ଆମ୍ଭମାନଙ୍କୁ ବନ୍ଦୀ କରିଥିଲେ, ଆମ୍ଭେ ଗୀତ ଗାଉ ବୋଲି ସେମାନେ ଗ୍ଭହିଁଲେ। 
ସେମାନଙ୍କର ମନୋରଞ୍ଜନ କରିବାକୁ ସେମାନେ ଆମ୍ଭମାନଙ୍କୁ ଡାକିଲେ: 
“ଆମ୍ଭମାନଙ୍କ ନିକଟରେ ସିୟୋନର ଗୋଟିଏ ଗୀତ ଗାନ କର।” 
4 କିନ୍ତୁ ଆମ୍ଭେମାନେ ସଦାପ୍ରଭୁଙ୍କର ଗୀତ କିପରି 
ବିଦେଶରେ ଗାନ କରି ପାରିବା! 
5 ହେ ଯିରୁଶାଲମ, ଯଦି ମୁଁ ତୁମ୍ଭକୁ ଭୁଲେ, 
ତେବେ ମୋର ଦକ୍ଷିଣ ହସ୍ତ ଆପଣାର କର୍ମ କୌଶଳ ପାଶୋରି ଯାଉ। 
6 ହେ ଯିରୁଶାଲମ, 
ଯଦି ମୁଁ ତୁମ୍ଭକୁ କେବେ ଭୁଲେ, 
ତେବେ ମୋର କାମନା କି 
ମୁଁ ଆଉ କୌଣସି ଗୀତ ଗାଇ ପାରିବି ନାହିଁ। 
ମୁଁ ପ୍ରତିଜ୍ଞା କରୁଅଛି ଯେ, ଯିରୁଶାଲମ ସର୍ବଦା ମୋର ଆନନ୍ଦ ଧାମ ହୋଇ ରହିବ। 
7 ହେ ସଦାପ୍ରଭୁ, ଇଦୋମୀୟମାନଙ୍କୁ ସ୍ମରଣ କର ଏବଂ ଯିରୁଶାଲମ ଅବରୋଧ ହେବା ସମୟ ସେମାନେ ଯାହା କଲେ ସେଥିପାଇଁ ସେମାନଙ୍କୁ ଦଣ୍ଡିତ କର। 
ସ୍ମରଣ କର ସେମାନେ କିପରି ଚିତ୍କାର କଲେ, “ଏହି କୋଠାଘରକୁ ଧ୍ୱଂସ କର! 
ସେମାନଙ୍କୁ ଟାଣିଆଣି ଧୂଳିରେ ମିଶାଇ ଦିଅ।” 
8 ହେ ବାବିଲୋନ, ତୁମ୍ଭେ ଧ୍ୱଂସ ହେବ! 
ମୁଁ ଯେକୌଣସି ଲୋକକୁ ଆଶୀର୍ବାଦ ଦେବି, ଯିଏ ତୁମ୍ଭକୁ ପ୍ରତିଦାନ ଦେବ, ଯାହା ତୁମ୍ଭେ ଆମ୍ଭ ପ୍ରତି କରିଥିଲ। 
9 ମୁଁ ଯେକୌଣସି ବ୍ୟକ୍ତିକୁ ଆଶୀର୍ବାଦ ଦେବି, 
ଯିଏ ତୁମ୍ଭର ଶିଶୁଗଣକୁ ତୁମ୍ଭଠାରୁ ଛଡ଼ାଇ ଆଣିବ ଏବଂ ସେମାନଙ୍କୁ ପଥରରେ ପିଟି ଦେବ। 
