139
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ଗୀତ। 
1 ହେ ସଦାପ୍ରଭୁ, ତୁମ୍ଭେ ମୋତେ ପରୀକ୍ଷା କରିଅଛ। 
ତୁମ୍ଭେ ମୋର ସମସ୍ତ ବିଷୟରେ ଜାଣିଅଛ। 
2 ତୁମ୍ଭେ ଜାଣ ଯେତେବେଳେ ମୁଁ ବସେ ଏବଂ ଯେତେବେଳେ ମୁଁ ଛିଡ଼ା ହୁଏ। 
ଯଦିଓ ତୁମ୍ଭେ ଦୂରରେ ଅଛ, ତୁମ୍ଭେ ମୋର ମନକଥା ଜାଣ। 
3 ସଦାପ୍ରଭୁ ତୁମ୍ଭେ ଜାଣ, ମୁଁ କେଉଁଠାକୁ ଯାଏ ଏବଂ କେତେବେଳେ ମୁଁ ତଳେ ପଡ଼େ। 
ମୁଁ ଯାହାକିଛି କରୁଛି ତାହା ସବୁ ତୁମ୍ଭେ ଜାଣ। 
4 ହେ ସଦାପ୍ରଭୁ, ମୋ’ ମୁହଁରୁ ଶବ୍ଦ ବାହାରିବା ପୂର୍ବରୁ ତୁମ୍ଭେ ଜାଣ ଯେ, 
ମୁଁ କ’ଣ କହିବାକୁ ଯାଉଛି। 
5 ସଦାପ୍ରଭୁ ତୁମ୍ଭେ ମୋର ଚତୁର୍ପାର୍ଶ୍ୱରେ ଅଛ, ମୋ’ ଆଗରେ ଓ ପଛରେ ଅଛ। 
ତୁମ୍ଭେ ଆପଣା ସୁରକ୍ଷାର ହାତ ମୋ’ ଉପରେ ରଖିଥାଅ। 
6 ମୁଁ ଆଶ୍ଚର୍ଯ୍ୟ ହୁଏ ଯେ, ତୁମ୍ଭେ ଯାହାସବୁ ଜାଣ। 
ମୁଁ ତାକୁ ବୁଝିପାରେ ନାହିଁ। 
7 ମୁଁ ଯୁଆଡ଼େ ଯାଏ, ତୁମ୍ଭର ଆତ୍ମା ସବୁଠାରେ ଥାଏ। 
ମୁଁ ତୁମ୍ଭର ଉପସ୍ଥିତିରୁ ଖସିଯାଇ ପାରିବି ନାହିଁ। 
8 ହେ ସଦାପ୍ରଭୁ, ଯଦି ମୁଁ ସ୍ୱର୍ଗକୁ ଯାଏ ତେବେ ତୁମ୍ଭେ ସେଠାରେ ଥାଅ। 
ଯଦି ମୁଁ ପାତାଳକୁ ଯାଏ, ତେବେ ସେଠାରେ ମଧ୍ୟ ତୁମ୍ଭେ ଅଛ। 
9 ସଦାପ୍ରଭୁ, ମୁଁ ଯଦି ପୂର୍ବକୁ ଯାଏ ଯେଉଁଠାରେ ସୂର୍ଯ୍ୟ ଉଦୟ ହେଉଅଛି। 
ଯଦି ମୁଁ ପଶ୍ଚିମରେ ସମୁଦ୍ରର ପ୍ରାନ୍ତ ସୀମାକୁ ଯାଏ, 
10 ସେଠାରେ ମଧ୍ୟ ତୁମ୍ଭର ହସ୍ତ ମୋତେ ଆଗକୁ ନେଇଥା’ନ୍ତା 
ଏବଂ ତୁମ୍ଭର ଦକ୍ଷିଣ ହସ୍ତ ହୁଏତ ମୋତେ ଧରିଥା’ନ୍ତା। 
11 ହେ ସଦାପ୍ରଭୁ, ମୁଁ ତୁମ୍ଭଠାରୁ ଲୁଚିବା ପାଇଁ ଚେଷ୍ଟା କରି କୁହେ, 
“ଯଦି ରାତ୍ରି ଦିନରେ ପରିଣତ ହେଲା ତେବେ ଅନ୍ଧକାର ନିଶ୍ଚିତ ଭାବରେ 
ମୋତେ ଆଚ୍ଛାଦନ କରିବ।” 
12 କିନ୍ତୁ ସଦାପ୍ରଭୁ, ଏପରିକି ଅନ୍ଧକାର ତୁମ୍ଭ ପାଇଁ ଅନ୍ଧକାର ନୁହେଁ। 
ରାତ୍ରି ହେଉଛି ଦିନ ଭଳି ଉଜ୍ଜ୍ୱଳ। 
ଅନ୍ଧକାର ଏବଂ ଉଜ୍ଜ୍ୱଳ ହେଉଛି ତୁମ୍ଭ ପାଇଁ ସମାନ। 
13 ସଦାପ୍ରଭୁ ତୁମ୍ଭେ ମୋର ସମଗ୍ର ଅଂଶକୁ ତିଆରି କଲ। 
ତୁମ୍ଭେ ମୋତେ ମୋ’ ମାତୃ ଗର୍ଭରେ ସମସ୍ତ ଶରୀର ସହିତ ରଖିଲ। 
14 ହେ ସଦାପ୍ରଭୁ, ମୁଁ ତୁମ୍ଭକୁ ଧନ୍ୟବାଦ ଦିଏ କାରଣ ତୁମ୍ଭେ ମୋତେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ପଥରେ ତିଆରି କରିଅଛ। 
ମୁଁ ଭଲ ଭାବରେ ଜାଣେ ଯେ, ତୁମ୍ଭର କାମ ଅଦ୍ଭୂତ ଅଟେ। 
15 ଯେତେବେଳେ ମୁଁ ନିଜ ମାତୃ ଗର୍ଭରେ ଥିଲି, ଯେତେବେଳେ ମୋର ଗଠିତ ହେଉଥିଲା, 
ସେତେବେଳେ ତୁମ୍ଭେ ମୋର ଅସ୍ଥି ପିଞ୍ଜରାକୁ ଦେଖିଲ। 
16 ତୁମ୍ଭେ ପ୍ରତ୍ୟେକ ଦିନ ମୋର ଶରୀରର ବୃଦ୍ଧିକୁ ମୋର ମାତୃଗର୍ଭରେ ଦେଖିଲ। 
ତୁମ୍ଭ ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ମୋ’ ତାଲିକାଭୁକ୍ତ କଲ ଏବଂ ସେଗୁଡ଼ିକ ମଧ୍ୟରୁ ଗୋଟିଏ ହେଲେ ବି ବାଦ୍ ଦେଇ ନାହଁ।* 
17 ପରମେଶ୍ୱର, ତୁମ୍ଭର ଚିନ୍ତାଧାରା ମୋ’ ପାଇଁ ବୁଝିବା କଷ୍ଟକର ଅଟେ। 
ତହିଁରେ ସେଗୁଡ଼ିକ ଗଣନା କରାଯାଇ ପାରିବ ନାହିଁ। 
18 ତୁମ୍ଭେ ଯାହାକିଛି ଜାଣ, ସେ ସବୁକୁ ଯଦି ମୁଁ ଗଣିପାରୁଥା’ନ୍ତି, ତା’ହେଲେ ସେ ସବୁ ପୃଥିବୀର ଧୂଳିକଣାଠାରୁ ଅଧିକ ହେବ, 
କିନ୍ତୁ ଯଦି ମୁଁ ତାହା ଗଣିପାରିବି, ତା’ହେଲେ ମୁଁ ତୁମ୍ଭକୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣଭାବରେ ବୁଝି ପାରିଥା’ନ୍ତି। 
19 ହେ ପରମେଶ୍ୱର, ଦୁଷ୍ଟ ଲୋକମାନଙ୍କୁ ହତ୍ୟା କର। 
ହେ ହତ୍ୟାକାରୀଗଣ, ମୋ’ଠାରୁ ତୁମ୍ଭେ ଦୂରେଇ ଯାଅ। 
20 ସେହି ଦୁଷ୍ଟ ଲୋକମାନେ ତୁମ୍ଭ ବିଷୟରେ ଖରାପ ମନ୍ତବ୍ୟ ଦେଉଛନ୍ତି। 
ତୁମ୍ଭର ଶତ୍ରୁମାନେ ତୁମ୍ଭର ନାମକୁ ଭୁଲ୍ ଭାବରେ ବ୍ୟବହାର କରନ୍ତି। 
21 ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭକୁ ଘୃଣା କରନ୍ତି, ମୁଁ ସେହି ଲୋକମାନଙ୍କୁ ଘୃଣା କରେ। 
ଯେଉଁମାନେ ତୁମ୍ଭ ବିରୁଦ୍ଧରେ ଯାଆନ୍ତି, ସେହି ଲୋକମାନେ ମୋର ଶତ୍ରୁ। 
22 ମୁଁ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ଘୃଣା କରେ। 
ତୁମ୍ଭର ଶତ୍ରୁ ମଧ୍ୟ ମୋର ଶତ୍ରୁ ଅଟନ୍ତି। 
23 ପରମେଶ୍ୱର, ମୋ’ ପ୍ରତି ଦୃଷ୍ଟି ଦିଅ ଏବଂ ମୋର ମନ କଥା ପଢ଼। 
ମୋତେ ପରୀକ୍ଷା କର ଏବଂ ମୋ’ ହୃଦୟକୁ ଜାଣ। 
24 ଏହା ନିଶ୍ଚିତ କର ଯେ, ମୁଁ କୌଣସି ଦୁଷ୍ଟତାର ବାଟରେ ଯାଇ ନାହିଁ। 
ମୋତେ ସେହି ବାଟରେ ଆଗେଇ ନିଅ, ଯାହା ସବୁଦିନ ପାଇଁ ସତ୍ୟ ହୋଇଅଛି। 
* 139:16  ତୁମ୍ଭ … ନାହଁ କିମ୍ବା “ତୁମ୍ଭେ ମୋତେ ଦେଖିଲ ମୋର ଜନ୍ମ ପୂର୍ବରୁ ତୁମ୍ଭର ପୁସ୍ତକରୁ ଯୋଜନାର ଦିନଗୁଡ଼ିକର ଘଟଣା ଘଟି ଆଗରୁ ତାହା ତାହା ତୁମ୍ଭେ ଲେଖିଥିଲ।”
