145
ପ୍ରଶଂସାର ଗୀତ, ଦାଉଦଙ୍କ ରଚିତ। 
1 ସେ ରାଜନ୍, ମୋର ପରମେଶ୍ୱର, ମୁଁ ତୁମ୍ଭର ପ୍ରଶଂସା କରିବି। 
ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି। 
2 ପ୍ରତିଦିନ ମୁଁ ତୁମ୍ଭର ପ୍ରଶଂସା କରେ। 
ପୁଣି ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି। 
3 ସଦାପ୍ରଭୁ ହେଉଛନ୍ତି ମହାନ ଏବଂ ସେ ଅତ୍ୟନ୍ତ ପ୍ରଶଂସନୀୟ। 
ଆମ୍ଭେମାନେ ତାହଙ୍କର ମହାନତାକୁ ପୁରାପୁରି ଜାଣି ପାରିବୁ ନାହିଁ। 
4 ଲୋକମାନେ ପୁରୁଷାନୁକ୍ରମେ ତୁମ୍ଭ କ୍ରିୟା ସକଳର ପ୍ରଶଂସା କରନ୍ତୁ, 
ସେମାନେ ତୁମ୍ଭର କାର୍ଯ୍ୟ ବିଷୟରେ କୁହନ୍ତୁ। 
5 ତୁମ୍ଭ ଗୌରବ ଓ ମହିମା ଆଶ୍ଚର୍ଯ୍ୟପୂର୍ଣ୍ଣ। 
ମୁଁ ତୁମ୍ଭ ଅଦ୍ଭୂତ କର୍ମ ବିଷୟ ଧ୍ୟାନ କରିବି। 
6 ହେ ସଦାପ୍ରଭୁ, ଲୋକମାନେ ତୁମ୍ଭ ଭୟାନକ କର୍ମର ଶକ୍ତି ବିଷୟରେ ବ୍ୟକ୍ତି କରନ୍ତୁ। 
ପୁଣି ମୁଁ ତୁମ୍ଭର ମହାନତା ବିଷୟରେ ପ୍ରଗ୍ଭର କରିବି। 
7 ଲୋକମାନେ ତୁମ୍ଭର ମହାନ ଉତ୍ତମତା ବିଷୟରେ କୁହନ୍ତୁ 
ଓ ସେମାନେ ତୁମ୍ଭ ଧାର୍ମିକତା ବିଷୟରେ ଗାନ କରନ୍ତୁ। 
8 ସଦାପ୍ରଭୁ ଅତ୍ୟନ୍ତ ଦୟାବାନ, ସହାନୁଭୂତିଶୀଳ, 
ଧୈର୍ଯ୍ୟଶୀଳ ଏବଂ ସ୍ନେହଶୀଳ। 
9 ସଦାପ୍ରଭୁ ସମସ୍ତଙ୍କ ପ୍ରତି ମଙ୍ଗଳମୟ। 
ପରମେଶ୍ୱରଙ୍କର ହସ୍ତକୃତ ସମସ୍ତ କର୍ମ ଉପରେ ତାହଙ୍କର ଦୟା ଥାଏ। 
10 ସଦାପ୍ରଭୁ, ତୁମ୍ଭେ ଯାହା କରିଅଛ, ସେଗୁଡ଼ିକ ସମସ୍ତେ ତୁମ୍ଭର ପ୍ରଶଂସା କରନ୍ତୁ। 
ତୁମ୍ଭର ବିଶ୍ୱସ୍ତ ଅନୁସରଣକାରୀମାନେ ତୁମ୍ଭର ଧନ୍ୟବାଦ କରନ୍ତୁ। 
11 ସେମାନେ ତୁମ୍ଭ ରାଜ୍ୟର ଗୌରବ ବ୍ୟକ୍ତ କରନ୍ତୁ 
ଓ ତୁମ୍ଭ ପରାକ୍ରମ ବିଷୟରେ କୁହନ୍ତୁ। 
12 ତେଣୁ ଅନ୍ୟ ଲୋକମାନେ ତୁମ୍ଭର ମହାନ କାର୍ଯ୍ୟ ବିଷୟରେ ଜାଣିବେ 
ଏବଂ ତୁମ୍ଭର ଶାସନ କେତେ ଆଶ୍ଚର୍ଯ୍ୟଜନକ ଓ ମହାନ। 
13 ହେ ସଦାପ୍ରଭୁ, ତୁମ୍ଭର ଶାସନ ଅନନ୍ତକାଳସ୍ଥାୟୀ ରହିବ। 
ତୁମ୍ଭେ ଅନନ୍ତକାଳ ରାଜତ୍ୱ କରିବ। 
ସଦାପ୍ରଭୁଙ୍କ ଉପରେ ବିଶ୍ୱାସ କରାଯାଇ ପାରିବ, ଯାହା ସେ କୁହନ୍ତି। 
ସେ କରୁଥିବା ସମସ୍ତ କର୍ମ ଉପରେ ବିଶ୍ୱସ୍ତ।* 
14 ସଦାପ୍ରଭୁ ସମସ୍ତ ପଡ଼ିବା ଲୋକଙ୍କୁ ଧରି ରଖନ୍ତି। 
ଏବଂ ନଇଁ ପଡ଼ୁଥିବା ଲୋକମାନଙ୍କୁ ଉଠାନ୍ତି। 
15 ହେ ସଦାପ୍ରଭୁ, ସମସ୍ତ ସଜୀବ ପ୍ରାଣୀ ଖାଦ୍ୟ ପାଇଁ ତୁମ୍ଭକୁ ଅନାଇଥା’ନ୍ତି। 
କାରଣ ଉପଯୁକ୍ତ ସମୟରେ ତୁମ୍ଭେ ଆହାର ଯୋଗାଇ ଥାଅ। 
16 ହେ ସଦାପ୍ରଭୁ, ତୁମ୍ଭେ ଆପଣା ହସ୍ତ ମେଲାଇ 
ପ୍ରତ୍ୟେକ ପ୍ରାଣୀର କାମନା ପୂର୍ଣ୍ଣ କରୁଛ। 
17 ସଦାପ୍ରଭୁ ଯାହାକିଛି କରନ୍ତି ତାହା ଉତ୍ତମ 
ଓ ତାଙ୍କର ନିଜର ସମସ୍ତ କାର୍ଯ୍ୟ ବିଶ୍ୱସ୍ତତାକୁ ପ୍ରଦର୍ଶନ କରେ। 
18 ସଦାପ୍ରଭୁ ସମସ୍ତ ପ୍ରାର୍ଥନାକାରୀଙ୍କର ନିକଟବର୍ତ୍ତୀ ଅଟନ୍ତି, 
ଯେଉଁମାନେ ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି। 
19 ସେ ଆପଣା ଅନୁସରଣକାରୀମାନଙ୍କ ବାଞ୍ଚା ପୂର୍ଣ୍ଣ କରନ୍ତି। 
ସେ ସେମାନଙ୍କର ଗୁହାରି ଶୁଣନ୍ତି ଏବଂ ସେମାନଙ୍କୁ ରକ୍ଷା କରନ୍ତି। 
20 ସଦାପ୍ରଭୁ ସେହିମାନଙ୍କୁ ରକ୍ଷା କରନ୍ତି ଯେଉଁମାନେ ତାଙ୍କୁ ଭଲ ପାଆନ୍ତି, 
ମାତ୍ର ସମସ୍ତ ଦୁଷ୍ଟ ଲୋକମାନଙ୍କୁ ଧ୍ୱଂସ କରିବେ। 
21 ମୁଁ ସଦାପ୍ରଭୁଙ୍କର ପ୍ରଶଂସା କରିବି! 
ସମୁଦାୟ ପ୍ରାଣୀ ଅନନ୍ତକାଳ ତାହଙ୍କର ପବିତ୍ର ନାମର ପ୍ରଶଂସା କରିବା ଉଚିତ୍। 
* 145:13  ସଦାପ୍ରଭୁ … ବିଶ୍ୱସ୍ତ ଏହା ଉନ୍ନତମାନର ହିବ୍ରୁ ଅନୁବାଦରେ ନାହିଁ, କିନ୍ତୁ କମ୍ରାନରୁ ଓ ପ୍ରାଚୀନ ଗ୍ରୀସ୍ ଓ ସିରିଆର ଅନୁବାଦରୁ ଆନୀତ।
