15
ଦାଉଦଙ୍କର ଗୀତ 
1 ହେ ସଦାପ୍ରଭୁ, କିଏ ତୁମ୍ଭର ପବିତ୍ର ତମ୍ବୁରେ ବାସ କରି ପାରିବ? 
କିଏ ତୁମ୍ଭର ପବିତ୍ର ପର୍ବତରେ ବାସ କରିବ? 
2 କେବଳ ଯେଉଁ ବ୍ୟକ୍ତି ଶୁଦ୍ଧ ଚିତ୍ତରେ ଜୀବନ-ଯାପନ କରେ, ଭଲ କାର୍ଯ୍ୟ କରେ, 
ଓ ଅନ୍ତରରୁ ସତ୍ୟକଥା ପ୍ରକାଶ କରେ ସେ କେବଳ ତୁମ୍ଭର ପବିତ୍ର ପର୍ବତରେ ବାସ କରି ପାରିବ। 
3 ସେହିଭଳି ମନୁଷ୍ୟ ଯିଏ କେବେ ଅନ୍ୟମାନଙ୍କ ବିଷୟରେ ମିଥ୍ୟା କଥା କହେ ନାହିଁ। 
ସେହି ବ୍ୟକ୍ତି ଯିଏ କେବେ ପଡ଼ୋଶୀ ପ୍ରତି ଅନିଷ୍ଟ ଚିନ୍ତା କରେ ନାହିଁ। 
ସେହି ବ୍ୟକ୍ତି ଲଜ୍ଜାଜନକ କଥା ନିଜ ପରିବାର ବିଷୟରେ ମଧ୍ୟ କହେ ନାହିଁ। 
4 ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, 
କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ। 
ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ 
ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ। 
5 ଯଦି ଜଣେ ବ୍ୟକ୍ତି କିଛି ଧନ କରଜ ଦିଏ 
ଓ ସେ ସେହି ଜନଠାରୁ କୌଣସି ସୁଧ ଆଦାୟ କରେ ନାହିଁ 
କିଅବା ସେହି ବ୍ୟକ୍ତି ନିରୀହ ଲୋକମାନଙ୍କୁ 
ଆଘାତ କରି ମୁଦ୍ରା ନିଏ ନାହିଁ। 
ଏହିପରି ଯେଉଁ ବ୍ୟକ୍ତି କରେ, ତେବେ ସେହି ଧାର୍ମିକ ସର୍ବଦା ପରମେଶ୍ୱରଙ୍କ ନିକଟରେ ଅବସ୍ଥାନ କରିବ। 
