20
ଦାଉଦଙ୍କର ଏକ ଗୀତ। 
1 ତୁମ୍ଭେ ଯେତେବେଳେ ବିପଦରେ ପଡ଼ିଥାଅ, ସେହି ସଦାପ୍ରଭୁ ତୁମ୍ଭର ଡାକ ଶୁଣି ତୁମ୍ଭକୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତୁ। 
ଯାକୁବଙ୍କର ପରମେଶ୍ୱର ତୁମ୍ଭକୁ ରକ୍ଷା କରନ୍ତୁ। 
2 ପରମେଶ୍ୱର ତାଙ୍କର ପବିତ୍ର ସ୍ଥାନରୁ ତୁମ୍ଭକୁ ସାହାଯ୍ୟ ପଠାନ୍ତୁ। 
ସିୟୋନ ପର୍ବତରୁ ସେ ତୁମ୍ଭକୁ ସାହାଯ୍ୟ କରନ୍ତୁ। 
3 ତୁମ୍ଭର ଉପହାର ସବୁ ଯାହା ତାଙ୍କ ଉଦ୍ଦେଶ୍ୟରେ ଅର୍ପିତ, ପରମେଶ୍ୱର ତାକୁ ଗ୍ରହଣ କରନ୍ତୁ। 
ତୁମ୍ଭର ହୋମବଳିକୁ ସେ ଗ୍ରହଣ କରନ୍ତୁ। 
4 ତୁମ୍ଭେ ଯାହା ଗ୍ଭହୁଁଛ, ପରମେଶ୍ୱର ତୁମ୍ଭକୁ ତାହା ପ୍ରଦାନ କରନ୍ତୁ। 
ସେ ତୁମ୍ଭର ସକଳ ମନସ୍କାମନା ପୂରଣ କରନ୍ତୁ ଓ ତୁମ୍ଭର ସକଳ ଯୋଜନାକୁ ସଫଳ କରନ୍ତୁ। 
5 ଆମ୍ଭେ ସମସ୍ତେ ଖୁସୀ ହେବୁ ଯେତେବେଳେ ପରମେଶ୍ୱର ତୁମ୍ଭକୁ ସାହାଯ୍ୟ କରିବେ। 
ଆସ ସମସ୍ତେ ପରମେଶ୍ୱରଙ୍କ ନାମର ଜୟଗାନ କରିବା। 
ଯାହା ତୁମ୍ଭେ ଗ୍ଭହୁଁଛ, ସଦାପ୍ରଭୁ ତୁମ୍ଭର ସେହି ସକଳ କାମନା ପୂରଣ କରନ୍ତୁ। 
6 ବର୍ତ୍ତମାନ ମୁଁ ଜାଣେ ସଦାପ୍ରଭୁ ତାଙ୍କ ଅଭିଷିକ୍ତ ରାଜାକୁ ସାହାଯ୍ୟ କରନ୍ତି। 
ପରମେଶ୍ୱର ତାଙ୍କର ପବିତ୍ର ସ୍ୱର୍ଗ ରାଜ୍ୟରେ ଥା’ନ୍ତି ଓ ତାଙ୍କ ଅଭିଷିକ୍ତ ରାଜାକୁ ଉତ୍ତର ଦିଅନ୍ତି। 
ସେ ତାଙ୍କର ମହାନ ଶକ୍ତିରେ ରାଜାଙ୍କୁ ତ୍ରାଣ କରନ୍ତି। 
7 କେତେକ ଲୋକ ସେମାନଙ୍କ ରଥ ଉପରେ ବିଶ୍ୱାସ ରଖନ୍ତି। 
ଅନ୍ୟ ଲୋକମାନେ ସେମାନଙ୍କ ସୈନିକଙ୍କ ଉପରେ ରଖନ୍ତି 
କିନ୍ତୁ ଆମ୍ଭେ ଆମ୍ଭର ସଦାପ୍ରଭୁ ପରମେଶ୍ୱରଙ୍କର ନାମକୁ ଉଚ୍ଚସ୍ୱରରେ ଡାକୁ। 
8 ସେହି ଅନ୍ୟ ଲୋକମାନେ ପରାସ୍ତ ହୋଇ ଯୁଦ୍ଧ କ୍ଷେତ୍ରରେ ମୃତ୍ୟୁବରଣ କଲେ କିନ୍ତୁ ଆମ୍ଭେ ଜିତିଲୁ। 
ଆମ୍ଭେ ବିଜୟୀ ଦଳ। 
9 ସଦାପ୍ରଭୁ ତାଙ୍କର ମନୋନୀତ ରାଜାଙ୍କୁ ଉଦ୍ଧାର କଲେ 
କାରଣ ପରମେଶ୍ୱରଙ୍କ ମନୋନୀତ ରାଜା ତାଙ୍କୁ ସାହାଯ୍ୟ ପାଇଁ ନିବେଦନ କଲେ ଓ ପରମେଶ୍ୱର ତାକୁ ଉଦ୍ଧାର ଦେଲେ। 
