30
ଦାଉଦଙ୍କର ଏକ ଗୀତ, ଏହି ଗୀତଟି ଈଶ୍ୱରଙ୍କ ମନ୍ଦିର ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୋର ସମସ୍ତ ବିପଦରୁ ଉଦ୍ଧାର କରିଛ।
ତୁମ୍ଭେ ମୋର ଶତ୍ରୁଙ୍କୁ ମୋତେ ପରାଜିତ କରିବାକୁ ସୁଯୋଗ ଦେଲ ନାହିଁ କି ସେମାନେ ମୋତେ ପରିହାସ କରିବାକୁ ଦେଲ ନାହିଁ।
ତେଣୁ ମୁଁ ତୁମ୍ଭକୁ ସମ୍ମାନ ଜଣାଉଛି।
ହେ ସଦାପ୍ରଭୁ ମୋର ପରମେଶ୍ୱର, ମୁଁ ତୁମ୍ଭକୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲି
ଓ ତହିଁରେ ତୁମ୍ଭେ ମୋତେ ସୁସ୍ଥ କରିଅଛ।
ହେ ସଦାପ୍ରଭୁ, ତୁମ୍ଭେ ମୋତେ ମୃତ୍ୟୁ ଗୁମ୍ଫାରୁ ମୋର ପ୍ରାଣ ବଞ୍ଚାଇ ରଖିଛ।
ମୋତେ ସେହି ମୃତ ଲୋକମାନଙ୍କ ସହିତ କବରରେ ରହିବାକୁ ଦେଇ ନାହଁ।
ହେ ପରମେଶ୍ୱରଙ୍କ ଅନୁଗାମୀମାନେ ସଦାପ୍ରଭୁଙ୍କ ପ୍ରଶଂସା କରି ସଙ୍ଗୀତ ଗାନ କର।
ତାଙ୍କର ସେହି ପବିତ୍ର ନାମର ପ୍ରଶଂସା କର।
ପରମେଶ୍ୱର କ୍ରୋଧିତ ହୁଅନ୍ତି।
ତେଣୁ ତାଙ୍କର ନିଷ୍ପତ୍ତି ହିଁ “ମୃତ୍ୟୁ”।
କିନ୍ତୁ ସେ ମୋ’ ପ୍ରତି କରୁଣା ପ୍ରଦର୍ଶନ କରି ମୋତେ “ଜୀବନଦାନ” ଦେଇଛନ୍ତି।
ସାରା ରାତି ମୁଁ କାନ୍ଦୁଥିଲି।
ତା’ ପରଦିନ ସକାଳୁ ଦେଖିଲି, ମୁଁ ଖୁସୀରେ ଗୀତ ବୋଲୁଛି।
ମୁଁ ସେତେବେଳେ ନିରାପଦରେ ନିଶ୍ଚିତ ଥିଲି,
ମୁଁ ଭାବୁଥିଲି ମୋର କିଛି କ୍ଷତି ହେବ ନାହିଁ।
ହଁ, ସଦାପ୍ରଭୁ, ଯେତେବେଳେ ତୁମ୍ଭେ ମୋ’ ପ୍ରତି ଦୟା କଲ,
ମୁଁ ସେତେବେଳେ ଭାବିଲି, କେହି ମୋତେ ପରାସ୍ତ କରି ପାରିବେ ନାହିଁ।
କିନ୍ତୁ ତୁମ୍ଭେ ଯେତେବେଳେ ମୋ’ ପାଖରୁ ଦୂରେଇ ଗଲ,
ମୁଁ ସେତେବେଳେ ବ୍ୟାକୁଳ ହୋଇ ଭୟରେ ଥରି ଉଠିଲି।
ତେଣୁ ହେ ପରମେଶ୍ୱର,
ମୁଁ ତୁମ୍ଭକୁ ମୋ’ ପ୍ରତି ସଦୟ ହେବାକୁ ନିବେଦନ କଲି।
ମୁଁ କହିଲି, “ହେ ପ୍ରଭୁ କ’ଣ ଭଲ ହେବ ଯଦି ମୁଁ ମରିଯାଏ?
ମୁଁ କବର ଭିତରକୁ ଗଲେ କ’ଣ ଲାଭ?
ମୃତ ଲୋକମାନେ ସେହି ମାଟିର କବରରେ ଶୋଇ ରହନ୍ତି।
ସେମାନେ ତୁମ୍ଭକୁ ପ୍ରଶଂସା କରନ୍ତି ନାହିଁ।
ସେମାନେ ଲୋକମାନଙ୍କୁ କହନ୍ତି ନାହିଁ, ଆମ୍ଭେମାନେ କେତେ ତୁମ୍ଭ ଉପରେ ନିର୍ଭରଶୀଳ।
10 ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ ଓ ମୋ’ ପ୍ରତି କରୁଣା ପ୍ରଦର୍ଶନ କର।
ହେ ସଦାପ୍ରଭୁ ମୋର ସହାୟ ହୁଅ।”
11 ମୁଁ ତୁମ୍ଭକୁ ପ୍ରାର୍ଥନା କଲି।
ତୁମ୍ଭେ ମୋତେ ସାହାଯ୍ୟ କଲ।
ତୁମ୍ଭେ ମୋର କ୍ରନ୍ଦନକୁ ନୃତ୍ୟରେ ପରିଣତ କଲ।
ତୁମ୍ଭେ ମୋର ଦୁଃଖର ପୋଷାକ ସବୁକୁ କାଢ଼ି ନେଲ ଓ ମୋତେ ସୁଖରେ ଆଚ୍ଛାଦିତ କରିଲ।
12 ହେ ସଦାପ୍ରଭୁ, ମୋର ପରମେଶ୍ୱର, ମୁଁ ଚିରଦିନ ତୁମ୍ଭର ଗୁଣଗାନ କରିବି, କେବେ ନୀରବରେ ବସି ରହିବି ନାହିଁ।
ତେଣୁ ସବୁବେଳେ କେହି ନା କେହି ତୁମ୍ଭକୁ ସମ୍ମାନ ଜଣାଇବା ପାଇଁ ତୁମ୍ଭର ଗୁଣଗାନ କରୁଥିବ।