38
ଦାଉଦଙ୍କ ସ୍ମରଣୀୟ ଗୀତ। 
1 ହେ ସଦାପ୍ରଭୁ, ମୋତେ ଆପଣା କୋପରେ ଅନୁଯୋଗ କର ନାହିଁ। 
କିଅବା ମୋତେ ତୁମ୍ଭେ କ୍ରୋଧାନ୍ୱିତ ହୋଇ ଦଣ୍ଡ ଦିଅ ନାହିଁ। 
2 ହେ ସଦାପ୍ରଭୁ, ତୁମ୍ଭେ ମୋତେ ଆଘାତ କରିଛ। 
ତୁମ୍ଭର ତୀର ମୋର ଅନ୍ତଃସ୍ଥଳକୁ ବିଦ୍ଧ କରିଛି। 
3 ତୁମ୍ଭେ ମୋତେ ଦଣ୍ଡ ଦେଲ। 
ବର୍ତ୍ତମାନ ମୋର ସମସ୍ତ ଶରୀର କମ୍ପୁଅଛି। 
ମୋର ପାପ ଲାଗି ତୁମ୍ଭେ ମୋତେ ଦଣ୍ଡ ଦେଲ, ତେଣୁ ମୋର ଅସ୍ଥିରେ କିଛି ଆରାମ ନାହିଁ। 
4 ମୁଁ ପାପ କରିଛି, ମନ୍ଦକାର୍ଯ୍ୟ କରି ସେହି ପାପ ମୋତେ ଓଜନ ଲାଗୁଛି। 
ମୁଁ ଅତ୍ୟନ୍ତ ଲଜ୍ଜିତ। 
ମୁଁ ମୁଣ୍ଡ ଉପରକୁ ଟେକିପାରୁ ନାହିଁ। 
5 ମୁଁ ଏକ ମୂର୍ଖାମୀ କାର୍ଯ୍ୟ କରିଛି। 
ମୋର ଅଜ୍ଞାନତା ଯୋଗୁଁ ମୋର କ୍ଷତ ସବୁ ଦୁର୍ଗନ୍ଧ ଓ ବିକୃତ ହୋଇଛି। 
6 ମୁଁ ଆଜି ନଇଁ ଯାଇଛି। 
ଭାଙ୍ଗି ପଡ଼ିଛି, ସାରାଦିନ ମୁଁ ବ୍ୟଥିତ ହୋଇଛି। 
7 ମୋର ଶରୀର ଜ୍ୱାଳାରେ ପରିପୂର୍ଣ୍ଣ ଥିଲା। 
ମୋର ସମସ୍ତ ଶରୀର ଯନ୍ତ୍ରଣାରେ ଛଟପଟ ହେଉଥିଲା। 
8 ମୋତେ ଏତେ କଷ୍ଟ ହେଉଥିଲା, ମୁଁ କିଛି ଅନୁଭବ କରିପାରୁ ନ ଥିଲି। 
ମୁଁ ହୃଦୟର ଅସ୍ଥିରତା ହେତୁରୁ ଆର୍ତ୍ତନାଦ କରୁଥିଲି। 
9 ହେ ମୋର ପ୍ରଭୁ, ତୁମ୍ଭେ ମୋର ପ୍ରାର୍ଥନା ଶୁଣିଲ। 
ତୁମ୍ଭେ ମୋର ଆର୍ତ୍ତନାଦ ଶୁଣିଲ। 
10 ମୋର ହୃଦୟ ବିଦୀର୍ଣ୍ଣ ହେଉଅଛି। 
ମୋର ବଳସବୁ କ୍ଷୀଣ ହୋଇଗଲାଣି ଓ ମୁଁ ଅନ୍ଧ ହୋଇଯାଉଛି। 
11 ମୋର ରୋଗ ଯୋଗୁଁ ମୋର ବନ୍ଧୁ ଓ ପଡ଼ୋଶୀମାନେ ମୋତେ ଦେଖା କରିବାକୁ ଆସନ୍ତି ନାହିଁ। 
ମୋର ପରିବାରବର୍ଗ ମୋ’ଠାରୁ ଦୂରେଇ ରହନ୍ତି। 
12 ମୋର ଶତ୍ରୁମାନେ ମୋ’ ବିଷୟରେ ଖରାପ କଥା କହନ୍ତି। 
ସେମାନେ ମିଛ ଓ ଗୁଜବ ସୃଷ୍ଟି କରନ୍ତି। 
ସେମାନେ ସବୁବେଳେ ମୋ’ ବିଷୟରେ ଆଲୋଚନା କରନ୍ତି। 
13 ମୁଁ ଏକ ବଧିର ବ୍ୟକ୍ତି ତୁଲ୍ୟ, ଯିଏ ଶୁଣିପାରେ ନାହିଁ। 
ମୁଁ ଏକ ମୂକ ବ୍ୟକ୍ତି ତୁଲ୍ୟ, ଯିଏ କଥା କହିପାରେ ନାହିଁ। 
14 ମୁଁ ଜଣେ ବଧିର ବ୍ୟକ୍ତି ପରି ଯିଏ, ପ୍ରତ୍ୟେକ ଲୋକମାନେ ଯାହା କରନ୍ତି ସର୍ବଦା ଶୁଣିପାରେ ନାହିଁ। 
ମୁଁ ସେମାନଙ୍କ ସହିତ ଯୁକ୍ତି ଏବଂ ପ୍ରମାଣ କରି ପାରିବି ନାହିଁ, କାରଣ ମୋର ଶତ୍ରୁମାନେ ଭୁଲ୍ କରୁଛନ୍ତି। 
15 ତେଣୁ ହେ ସଦାପ୍ରଭୁ, ତୁମ୍ଭେ ମୋତେ ନିଶ୍ଚୟ ସହାୟ ହେବ। 
ହେ ପରମେଶ୍ୱର ମୋର ସଦାପ୍ରଭୁ, ତୁମ୍ଭେ ମୋ’ ପାଇଁ ନିଶ୍ଚୟ କହିବ। 
16 “ଯଦି ମୁଁ କିଛି କହେ, ମୋର ଶତ୍ରୁମାନେ ମୋତେ ପରିହାସ କରିବେ। 
ସେମାନେ ଦେଖିବେ ଯେ, ମୁଁ ଅସୁସ୍ଥ ଅଛି ଓ କହିବେ ମୁଁ ପାପ କଲି। 
ସେମାନେ କହିବେ, ପରମେଶ୍ୱର ମୋତେ ଦଣ୍ଡ ଦେଉଛନ୍ତି।” 
17 ମୁଁ ଜାଣେ ମୁଁ ପାପର ଶାସ୍ତି ଭୋଗୁଛି, 
ମୁଁ ମୋର ଯନ୍ତ୍ରଣାକୁ ଭୁଲିପାରିବି ନାହିଁ। 
18 ହେ ସଦାପ୍ରଭୁ, ମୁଁ କହେ, ମୁଁ ଯେଉଁ ମନ୍ଦକାର୍ଯ୍ୟ କରିଛି, ମୁଁ ସ୍ୱୀକାର କରେ ଯାହା ପାପ ମୁଁ କରିଛି। 
ମୁଁ ମୋର ପାପଗୁଡ଼ିକ ପାଇଁ ବାସ୍ତବରେ ଦୁଃଖିତ। 
19 ମୋର ଶତ୍ରୁମାନେ ସତେଜ ଓ ବଳବାନ ଅଟନ୍ତି। 
ସେମାନେ ଅନେକ ଥର ମିଥ୍ୟା କହିଛନ୍ତି। 
20 ମୋର ଶତ୍ରୁମାନେ ମୋ’ ପ୍ରତି ମନ୍ଦ ଆଚରଣ କରନ୍ତି। 
କିନ୍ତୁ ମୁଁ ସେମାନଙ୍କ ପ୍ରତି ଉତ୍ତମ ବ୍ୟବହାର କରେ। 
ମୁଁ ସବୁବେଳେ ଉତ୍ତମ କାର୍ଯ୍ୟ କରିବାକୁ ଚେଷ୍ଟା କରେ। 
ତଥାପି ସେହି ଲୋକମାନେ ମୋ’ ବିରୁଦ୍ଧରେ ଯାଆନ୍ତି। 
21 ହେ ସଦାପ୍ରଭୁ, ମୋତେ ପରିତ୍ୟାଗ କର ନାହିଁ। 
ହେ ମୋର ପରମେଶ୍ୱର ମୋର ନିକଟରେ ରୁହ। 
22 ଶୀଘ୍ର ଆସ ଓ ମୋତେ ସାହାଯ୍ୟ କର। 
ହେ ମୋର ପରମେଶ୍ୱର ମୋତେ ଉଦ୍ଧାର କର। 
