44
ପ୍ରଧାନ ବାଦ୍ୟକର ନିମନ୍ତେ କୋରହ ପରିବାରର ଗୀତ, ମସ୍କୀଲ୍। 
1 ହେ ପରମେଶ୍ୱର, ଆମ୍ଭେ ତୁମ୍ଭ ବିଷୟରେ ଶୁଣିଅଛୁ। 
ଆମ୍ଭର ପିତୃପୁରୁଷଙ୍କୁ ଜୀବନ କାଳରେ ଓ ପୂର୍ବରେ ତୁମ୍ଭେ ଯାହାସବୁ କରିଥିଲ ତାହା ଆମ୍ଭେମାନେ ଶୁଣିଅଛୁ। 
ସେମାନେ ତାହା ଆମ୍ଭମାନଙ୍କୁ ଜଣାଇଅଛନ୍ତି। 
2 ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ବଳରେ ଏହି ରାଜ୍ୟକୁ 
ସେମାନଙ୍କଠାରୁ ଛଡ଼ାଇ ନେଇ ତାହା ଆମ୍ଭମାନଙ୍କୁ ଦେଇଅଛ। 
ତୁମ୍ଭେ ସେହି ବିଦେଶୀ ଲୋକମାନଙ୍କୁ ନିଶ୍ଚିହ୍ନ କରିଛ। 
ତୁମ୍ଭେ ସେମାନଙ୍କୁ ବିଦେଶ ଭୂମି ଛାଡ଼ିବାକୁ ବାଧ୍ୟ କରିଛ। 
3 ଆମ୍ଭର ପିତୃପୁରୁଷଙ୍କ ଖଡ଼୍ଗ ଦ୍ୱାରା ଏ ରାଜ୍ୟ ମିଳି ନାହିଁ। 
ସେମାନଙ୍କର ବଳିଷ୍ଠ ବାହୁ ଯୁଗଳ ସେମାନଙ୍କୁ ବିଜୟୀ କରି ନାହିଁ। 
ଏହା କେବଳ ସମ୍ଭବ ହୋଇଛି, ଯେହେତୁ ତୁମ୍ଭେ ସେମାନଙ୍କ ସାଙ୍ଗରେ ଥିଲ। 
ହେ ପରମେଶ୍ୱର, ତୁମ୍ଭର ଅସୀମ ଶକ୍ତି ଆମ୍ଭର ପିତୃପୁରୁଷଙ୍କୁ ରକ୍ଷା କରିଥିଲା। 
କାରଣ ତୁମ୍ଭେ ସେମାନଙ୍କୁ ଭଲ ପାଉଥିଲ। 
4 ହେ ମୋର ପରମେଶ୍ୱର, ତୁମ୍ଭେ ମୋର ରାଜା ଅଟ। 
ଆଜ୍ଞା ଦିଅ ଓ ଯାକୁବର ଲୋକଙ୍କୁ ମୁକ୍ତ କରାଅ। 
5 ହେ ମୋର ପରମେଶ୍ୱର, ତୁମ୍ଭରି ସାହାଯ୍ୟରେ ଆମ୍ଭର ଶତ୍ରୁମାନଙ୍କୁ ଆମ୍ଭେ ପଛକୁ ତଡ଼ି ଦେବୁ। 
ତୁମ୍ଭର ନାମକୁ ନେଇ ଆମ୍ଭେମାନେ ଆମ୍ଭର ଶତ୍ରୁମାନଙ୍କ ଉପରେ ଚଢ଼ି ଗ୍ଭଲିଯିବୁ। 
6 ମୁଁ ମୋର ଧନୁରେ ବିଶ୍ୱାସ କରେ ନାହିଁ, 
କିଅବା ମୋର ଖଣ୍ଡା ମୋତେ ରକ୍ଷା କରି ପାରିବ ନାହିଁ। 
7 ହେ ପରମେଶ୍ୱର, ତୁମ୍ଭେ ଆମ୍ଭଙ୍କୁ ମିଶରଠାରୁ ବଞ୍ଚାଇଛ। 
ତୁମ୍ଭେ ଆମ୍ଭର ଶତ୍ରୁମାନଙ୍କୁ ଲଜ୍ଜା ପ୍ରଦାନ କରିଛ। 
8 ଆମ୍ଭେ ସାରାଦିନ ପରମେଶ୍ୱରଙ୍କ ପ୍ରଶଂସା କରିଛୁ। 
ଆମ୍ଭେ ଚିରକାଳ ତୁମ୍ଭର ପ୍ରଶଂସା କରିବୁ। 
9 କିନ୍ତୁ ହେ ପରମେଶ୍ୱର, ତୁମ୍ଭେ ଆମ୍ଭକୁ ଛାଡ଼ି ଗ୍ଭଲିଗଲ। 
ତୁମ୍ଭେ ଆମ୍ଭକୁ ମାନସିକ ଅଶାନ୍ତ କଲ। 
ତୁମ୍ଭେ ଆମ୍ଭ ସହିତ ଯୁଦ୍ଧ କ୍ଷେତ୍ରକୁ ଆସିଲ ନାହିଁ। 
10 ଆମ୍ଭର ଶତ୍ରୁମାନେ ଆମ୍ଭକୁ ପଛକୁ ତଡ଼ି ଦେଲେ। 
ଆମ୍ଭର ଶତ୍ରୁମାନେ ଆମ୍ଭର ଧନ ସମ୍ପତ୍ତି ନେଇଗଲେ। 
11 ତୁମ୍ଭେ ଆମ୍ଭକୁ ମେଣ୍ଢା ତୁଲ୍ୟ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ନିମନ୍ତେ ସମର୍ପଣ କରିଅଛ। 
ତୁମ୍ଭେ ଆମ୍ଭକୁ ବିଦେଶୀମାନଙ୍କ ମଧ୍ୟରେ ଛିନ୍ନଭିନ୍ନ କରିଅଛ। 
12 ହେ ପରମେଶ୍ୱର, ତୁମ୍ଭେ ଆପଣା ଲୋକଙ୍କୁ ବିନା ମୂଲ୍ୟରେ ବିକ୍ରୀ କରି ଦେଉଛ 
ଓ ସେମାନଙ୍କର ଉଚିତ୍ ଦାମ ପାଇଁ ମଧ୍ୟ ଆଲୋଚନା କରି ନାହଁ। 
13 ତୁମ୍ଭେ ଆମ୍ଭମାନଙ୍କୁ ଆମ୍ଭର ପଡ଼ୋଶୀମାନଙ୍କ ନିକଟରେ ପରିହାସର ପାତ୍ର କରିଛ। 
ସେମାନେ ଆମ୍ଭକୁ ଦେଖି ହସନ୍ତି ଓ ଥଟ୍ଟା କରନ୍ତି। 
14 ତୁମ୍ଭେ ଆମ୍ଭକୁ ଏକ ବିପର୍ଯ୍ୟୟର କାହାଣୀରେ ପରିଣତ କରିଛ, ଯାହା ଲୋକମାନେ କହୁଛନ୍ତି। 
ଯେଉଁ ଲୋକଙ୍କର ନିଜର ରାଜ୍ୟ ମଧ୍ୟ ନାହିଁ, ସେମାନେ ଆମ୍ଭକୁ ଦେଖି ହସୁଛନ୍ତି ଓ ମୁଣ୍ଡ ହଲାଉଛନ୍ତି। 
15 ଲଜ୍ଜାରେ ମୁଁ ଢାଙ୍କି ହୋଇଯାଇଛି। 
ସାରାଦିନ ମୁଁ ସେହି ତିରସ୍କାର ଦେଖୁଛି। 
16 ଲୋକମାନେ ଯାହା କହୁଛନ୍ତି ସେଥିପାଇଁ ମୁଁ ଲଜ୍ଜିତ, 
ଏହିସବୁ ଯେଉଁ ଲୋକମାନେ କହୁଛନ୍ତି ଏ ମୋର ଶତ୍ରୁ। 
17 ହେ ପରମେଶ୍ୱର, ଆମ୍ଭେ ତୁମ୍ଭକୁ ଭୁଲି ଯାଇ ନାହୁଁ। 
ତଥାପି ତୁମ୍ଭେ ଆମ୍ଭମାନଙ୍କ ପ୍ରତି ଏସବୁ ଘଟାଇଛ। 
ଯେତେବେଳେ ତୁମ୍ଭର ନିୟମକୁ ସ୍ୱୀକୃତି ପ୍ରଦାନ କରିଥିଲୁ ତୁମ୍ଭ ସହିତ ଆମ୍ଭେମାନେ ମିଥ୍ୟା କହି ନାହୁଁ। 
18 ହେ ପରମେଶ୍ୱର, ଆମ୍ଭେମାନେ ତୁମ୍ଭ ନିକଟରୁ ଦୂରେଇ ଯାଇ ନାହୁଁ। 
ଆମ୍ଭେମାନେ ତୁମ୍ଭକୁ ଅନୁସରଣ କରିବାରେ ପଛେଇ ନାହୁଁ। 
19 ହେ ପରମେଶ୍ୱର, ତୁମ୍ଭେ ଏହି ସ୍ଥାନରେ ଆମ୍ଭକୁ ପଦଦଳିତ କଲ। 
ଯେଉଁଠାରେ ଶୃଗାଳମାନେ ବାସ କରନ୍ତି। 
ତୁମ୍ଭେ ଆମ୍ଭକୁ ଏପରି ଏକ ସ୍ଥାନରେ ଛାଡ଼ିଦେଲ ଯାହା ମୃତ୍ୟୁଭଳି ଗାଢ଼ ଅନ୍ଧକାର ଅଟେ। 
20 ଆମ୍ଭେ କ’ଣ ଆମ୍ଭ ପରମେଶ୍ୱରଙ୍କ ନାମ ଭୁଲି ଯାଇଛୁ? 
ଆମ୍ଭେ କ’ଣ ଅନ୍ୟ କୌଣସି ଦେବତାଙ୍କୁ ଡାକିଛୁ? ନା। 
21 ପ୍ରକୃତରେ ପରମେଶ୍ୱର ସେ ସବୁ କଥା ଜାଣନ୍ତି। 
ସେ ମଧ୍ୟ ଆମ୍ଭର ସମସ୍ତ ଗୋପନ କଥା ଜାଣନ୍ତି। 
22 ହେ ପରମେଶ୍ୱର, ସାରାଦିନ ଆମ୍ଭେ ତୁମ୍ଭ ପାଇଁ ମୃତ୍ୟୁବରଣ କରୁଛୁ। 
ଆମ୍ଭେ ହେଉଛୁ ସେହି ମେଣ୍ଢାସବୁ ଯେଉଁମାନଙ୍କୁ ହତ୍ୟା କରିବାକୁ ନିଆ ଯାଉଥାଏ। 
23 ମୋର ପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। 
କାହିଁକି ତୁମ୍ଭେ ଶୋଇ ରହିଛ? 
ଉଠ, ଚିରଦିନ ପାଇଁ ଆମ୍ଭକୁ ଛାଡ଼ିଯାଅ ନାହିଁ। 
24 ହେ ପରମେଶ୍ୱର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ? 
ତୁମ୍ଭେ କ’ଣ ଆମ୍ଭର ଦୁଃଖ ଓ ଯନ୍ତ୍ରଣା ସବୁ ଭୁଲି ଯାଇଅଛ? 
25 ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି। 
ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି। 
26 ହେ ପରମେଶ୍ୱର, ଜାଗ୍ରତ ହୁଅ। 
ଆମ୍ଭକୁ ସାହାଯ୍ୟ କର। 
ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କୁ ଉଦ୍ଧାର କର। 
