52
ପ୍ରଧାନ ବାଦ୍ୟକର ନିମନ୍ତେ ଦାଉଦଙ୍କର ମସ୍କୀଲ୍, “ଦାଉଦ ଅହୀମେଲକର ଗୃହରେ ଅଛନ୍ତି” ବୋଲି ଇଦୋମୀୟ ଦୋୟେଗ୍ ଶାଉଲଙ୍କୁ ସମ୍ବାଦ ଦେବା ବେଳେ ରଚିତ। 
1 ହେ ଶ୍ରେଷ୍ଠ ମାନବ, ତୁମ୍ଭେ କରୁଥିବା ଅନିଷ୍ଟ କର୍ମରେ ବଡ଼ିମା ହେଉଛି କାହିଁକି? 
ପରମେଶ୍ୱରଙ୍କ ବିଶ୍ୱସ୍ତ ପ୍ରେମ ମୋତେ ଦିନ ତମାମ ସୁରକ୍ଷା କରିବ। 
2 ତୁମ୍ଭେ ଲୋକମାନଙ୍କୁ ଧ୍ୱଂସ କରିବାକୁ ଚକ୍ରାନ୍ତ କରୁଅଛ। 
ତୁମ୍ଭର ଜିହ୍ୱା କ୍ଷୁରତୁଲ୍ୟ ତୀକ୍ଷ୍ଣ। 
ତୁମ୍ଭେ ମିଥ୍ୟା କହୁଛ ଏବଂ ଲୋକମାନଙ୍କୁ ଠକିବା ପାଇଁ ଚେଷ୍ଟା କରୁଛ! 
3 ତୁମ୍ଭେ ସୁକର୍ମ ଅପେକ୍ଷା କୁକର୍ମକୁ ଅଧିକ ଭଲ ପାଉଛ। 
ତୁମ୍ଭେ ସତ କହିବା ଅପେକ୍ଷା, ମିଥ୍ୟା କହିବାକୁ ଅଧିକ ଭଲ ପାଉଛ। 
4 ତୁମ୍ଭେ ଲୋକମାନଙ୍କୁ ଆଘାତ ଦେଉଥିବା ଶବ୍ଦକୁ ଓ ପ୍ରତାରଣା କରୁଥିବା ଜିହ୍ୱାକୁ ଭଲ ପାଉଛ। 
5 ଏଣୁ ପରମେଶ୍ୱର ଚିରଦିନ ପାଇଁ ତୁମ୍ଭକୁ ଧ୍ୱଂସ କରିବେ। 
ସେ ତୁମ୍ଭକୁ ହଠାତ୍ ମାଡ଼ିବସିବେ ଏବଂ ତୁମ୍ଭକୁ ତୁମ୍ଭର ଘରୁ ଟାଣି ଆଣିବେ। 
ସେ ତୁମ୍ଭକୁ ସଜୀବ ପୃଥିବୀରୁ ଉତ୍ପାଟନ କରିବେ। 
6 ଧାର୍ମିକ ଲୋକମାନେ ତାହା ଦେଖି ବିସ୍ମିତ ହେବେ। 
ସେମାନେ ତୁମ୍ଭକୁ ପରିହାସ କରି କହିବେ। 
7 “ଦେଖ, ତାଙ୍କୁ କ’ଣ ହେଲା। 
ସେ ରକ୍ଷା ପାଇବା ପାଇଁ ପରମେଶ୍ୱରଙ୍କୁ ବିଶ୍ୱାସ କଲା ନାହିଁ। 
ସେ ଭାବିଲା, ତା’ର ଧନ ଏବଂ ମିଥ୍ୟା ତାକୁ ଉଦ୍ଧାର କରିବ।” 
8 କିନ୍ତୁ ମୁଁ ପରମେଶ୍ୱରଙ୍କ ମନ୍ଦିରରେ ବଢ଼ୁଥିବା ଏକ ସତେଜ ଜୀତବୃକ୍ଷ ତୁଲ୍ୟ ଅଛି। 
ମୁଁ ଅନନ୍ତକାଳ ପରମେଶ୍ୱରଙ୍କ ପ୍ରେମରେ ବିଶ୍ୱାସ କରେ। 
9 ପରମେଶ୍ୱର, ତୁମ୍ଭେ କରିଥିବା କାମ ପାଇଁ ମୁଁ ତୁମ୍ଭକୁ ସର୍ବଦା ପ୍ରଶଂସା କରିବି। 
ମୁଁ ତୁମ୍ଭ ରାଜ ଭକ୍ତମାନଙ୍କ ଉପସ୍ଥିତିରେ ତୁମ୍ଭର ନାମର ଘୋଷଣା କରିବି, କାରଣ ତୁମ୍ଭେ ଉତ୍ତମ ଅଟ। 
