56
ପ୍ରଧାନ ବାଦ୍ୟକର ପାଇଁ ଯୋନତ୍-ଏଲମ୍ ରହୋକୀମ୍ ସ୍ୱରରେ ଦାଉଦଙ୍କ ଗୀତ। ପଲେଷ୍ଟୀୟମାନେ ତାହାଙ୍କୁ ଗାଥ୍ ନଗରରେ ଧରିବା ସମୟରେ ରଚିତ ଦାଉଦଙ୍କର ଏକ ମିକ୍ତାମ୍। 
1 ହେ ପରମେଶ୍ୱର, ମୋତେ ଦୟା କର। 
ଲୋକମାନେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ କଲେ। 
ସେମାନେ ନିରନ୍ତର ଭାବରେ ମୋତେ ଅନୁଧାବନ କରୁଛନ୍ତି ଓ ଯୁଦ୍ଧ କରି ଆସୁଛନ୍ତି। 
2 ମୋର ଶତ୍ରୁମାନେ ନିରନ୍ତର ଭାବରେ ମୋତେ ଆକ୍ରମଣ କରିବାକୁ ଉଦ୍ୟମ, 
ସେହି ଯୋଦ୍ଧାମାନଙ୍କର ସଂଖ୍ୟା ବହୁତ। 
3 ହେ ସର୍ବୋପରିସ୍ଥ ପରମେଶ୍ୱର, 
ମୁଁ ଭୀତ ହେବା ସମୟରେ 
ତୁମ୍ଭ ଉପରେ ନିର୍ଭର କରେ। 
4 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ। 
ତାଙ୍କର ପ୍ରତିଜ୍ଞା ପାଇଁ ମୁଁ ତାଙ୍କୁ ପ୍ରଶଂସା କରେ। 
ମୁଁ ପରମେଶ୍ୱରଙ୍କ ଉପରେ ନିର୍ଭର କରେ, ତେଣୁ ମୁଁ ଭୟ କରିବି ନାହିଁ। 
ଲୋକମାନେ ମୋତେ କ’ଣ କରି ପାରିବେ? 
5 ମୋର ଶତ୍ରୁମାନେ ମୋର କଥାକୁ ରୂପ ବଦଳାଇ ବିପରୀତ ଅର୍ଥ କରୁଛନ୍ତି। 
ସେମାନେ ମୋତେ ସର୍ବଦା କୁମନ୍ତ୍ରଣାରେ ଅନିଷ୍ଟ କରୁଛନ୍ତି। 
6 ସେମାନେ ମୋତେ ହତ୍ୟା କରିବାର ଆଶା ନେଇ ଲୁଚି ରହନ୍ତି 
ଓ ମୋର ପ୍ରତ୍ୟେକ ଗତିବିଧି ଲକ୍ଷ୍ୟ କରନ୍ତି। 
7 କାରଣ ସେମାନଙ୍କର ଅଧର୍ମ ପାଇଁ, ସେମାନଙ୍କୁ ପଳାଇ ଯିବାକୁ ଦିଅ ନାହିଁ। 
ପରମେଶ୍ୱର! ତୁମ୍ଭ କ୍ରୋଧରେ ସେହି ଜାତିଗଣକୁ ନିମ୍ନ ଆଡ଼କୁ ନେଇଆସ। 
8 ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବି। 
ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି। 
ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ। 
9 ମୁଁ ଜାଣେ କେତେବେଳେ ମୁଁ ସାହାଯ୍ୟ ପାଇଁ ଡାକିବି, ମୋର ଶତ୍ରୁଗଣ ବୁଲିପଡ଼ିବେ ଏବଂ ଦୌଡ଼ିବେ। 
ମୁଁ ତାହା ଜାଣେ କାରଣ ତୁମ୍ଭେ ମୋର ପରମେଶ୍ୱର। 
10 ମୁଁ ପରମେଶ୍ୱରଙ୍କ ବାକ୍ୟର ପ୍ରଶଂସା କରିବି। 
ସଦାପ୍ରଭୁ ମୋତେ କରିଥିବା ପ୍ରତିଜ୍ଞା ପାଇଁ ମୁଁ ତାଙ୍କର ପ୍ରଶଂସା କରିବି। 
11 ପରମେଶ୍ୱରଙ୍କ ଉପରେ ମୁଁ ନିର୍ଭର କରେ। 
ତେଣୁ ମୁଁ ଭୟ କରିବି ନାହିଁ। 
ଲୋକମାନେ ମୋର କ’ଣ କରିବେ! 
12 ହେ ପରମେଶ୍ୱର, ତୁମ୍ଭ ନିକଟରେ କରିଥିବା ପ୍ରତିଜ୍ଞା, ମୁଁ ପୂରଣ କରିବି। 
ମୁଁ ତୁମ୍ଭକୁ ଧନ୍ୟବାଦ ରୂପକ ନୈବେଦ୍ୟ ଦେବି। 
13 କାରଣ ତୁମ୍ଭେ ମୋତେ ମୃତ୍ୟୁମୁଖରୁ ରକ୍ଷା କରିଛ, 
ମୋତେ ପରାସ୍ତ ହେବାରୁ ଉଦ୍ଧାର କରିଛ। 
ତେଣୁ ମୁଁ ପରମେଶ୍ୱରଙ୍କ ଉପସ୍ଥିତିରେ ଗ୍ଭଲିବି, ଜୀବନ ପ୍ରଦାନକାରୀ ରଶ୍ମି ତୁଲ୍ୟ। 
ଯେଉଁ ରଶ୍ମି ମୋତେ ଜୀବନ ପ୍ରଦାନ କରିଅଛି, ସେହି ପରମେଶ୍ୱରଙ୍କ ପାଇଁ ବଞ୍ଚିବି। 
