63
ଦାଉଦଙ୍କର ଏକ ଗୀତ, ସେ ଯିହୁଦା ମରୁଭୂମିରେ ଥିବା ବେଳେ ରଚିତ। 
1 ହେ ପରମେଶ୍ୱର, ତୁମ୍ଭେ ମୋର ପରମେଶ୍ୱର। 
ମୁଁ ତୁମ୍ଭକୁ ବହୁତ ଗ୍ଭହୁଁଛି। 
ମୋର ସମସ୍ତ ପ୍ରାଣ ତୁମ୍ଭ ପାଇଁ 
ଶୁଷ୍କ ଭୂମି ତୁଲ୍ୟ ତୃଷାର୍ତ୍ତ। 
2 ହଁ, ମୁଁ ତୁମ୍ଭକୁ ପବିତ୍ର ମନ୍ଦିରରେ ଦେଖିଅଛି। 
ମୁଁ ତୁମ୍ଭର ପରାକ୍ରମ ଓ ଗୌରବ ଦେଖିଅଛି। 
3 ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ଜୀବନ ଅପେକ୍ଷା ଉତ୍ତମ। 
ମୋର ଓଷ୍ଠାଧର ତୁମ୍ଭର ପ୍ରଶଂସା ଗାନ କରେ। 
4 ହଁ, ମୁଁ ଜୀବନସାରା ତୁମ୍ଭର ପ୍ରଶଂସା କରିବି। 
ମୁଁ ତୁମ୍ଭର ନାମ ଡାକି ପ୍ରାର୍ଥନା କରିବା ସମୟରେ ମୋର ହସ୍ତ ଉଠାଇବି। 
5 ଯେମନ୍ତ ମେଦ ଓ ମଜ୍ଜା, ସେହିପରି ମୋର ପ୍ରାଣ ପରିତୃପ୍ତ ହେବ। 
ମୋ’ ଆନନ୍ଦିତ ଓଷ୍ଠାଧରରେ ତୁମ୍ଭର ପ୍ରଶଂସା କରିବି। 
6 ମୁଁ ଶଯ୍ୟା ଉପରେ ଗଡ଼ୁଥିବା ସମୟରେ ତୁମ୍ଭକୁ ମନେ କରିବି। 
ରାତି ସମୟରେ ମଧ୍ୟ ମୁଁ ତୁମ୍ଭ ବିଷୟରେ ଭାବିବି। 
7 ପ୍ରକୃତରେ ତୁମ୍ଭେ ମୋତେ ସାହାଯ୍ୟ କଲ। 
ମୁଁ ତୁମ୍ଭର ପକ୍ଷ ତଳେ ଆଶ୍ରୟ ନେଇ ଆନନ୍ଦରେ ଗାନ କରିବି। 
8 ମୁଁ ତୁମ୍ଭଠାରେ ଲାଗିରହେ। 
ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ। 
9 କେତେଲୋକ ମୋର ପ୍ରାଣ ନେବା ପାଇଁ ଚେଷ୍ଟା କରୁଛନ୍ତି। 
କିନ୍ତୁ ସେମାନଙ୍କୁ ଧ୍ୱଂସ କରାଯିବ। 
ସେମାନେ ନିଜ କବରରେ ମିଶି ଯିବେ। 
10 ସେମାନଙ୍କୁ ଖଡ଼୍ଗରେ ହତ୍ୟା କରାଯିବ। 
ସେମାନଙ୍କର ଶବକୁ ଜଙ୍ଗଲି ଶୃଗାଳ ଖାଇବେ। 
11 କିନ୍ତୁ ରାଜା ପରମେଶ୍ୱରଙ୍କଠାରେ ଆନନ୍ଦ କରିବେ। 
ଯେଉଁମାନେ ପରମେଶ୍ୱରଙ୍କ ନାମରେ ଶପଥ କରନ୍ତି, ସେମାନେ ଆନନ୍ଦିତ ହେବେ କାରଣ ମିଥ୍ୟାବାଦୀମାନଙ୍କର ମୁଖ ବନ୍ଦ ହୋଇଯିବ। 
