81
ପ୍ରଧାନ ବାଦ୍ୟକର ନିମନ୍ତେ ଗିତ୍ତୀତ୍ ସ୍ୱରରେ ଆସଫର ଗୀତ। 
1 ଆମ୍ଭମାନଙ୍କ ବଳସ୍ୱରୂପ ପରମେଶ୍ୱରଙ୍କର ଉଦ୍ଦେଶ୍ୟରେ ଉଚ୍ଚ ସ୍ୱରରେ ଜୟଗାନ କର। 
ଯାକୁବର ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କର। 
2 ଗୀତ ଆରମ୍ଭ କର 
ଓ ଦାରା ବଜାଅ, 
ନେବଲ ସହିତ ସୁମଧୁର ବୀଣାରେ ସ୍ୱର ବାହାର କର। 
3 ଅମାବାସ୍ୟା ଦିନରେ ମେଣ୍ଢା ତୂରୀ ବଜାଅ। 
ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ। 
4 କାରଣ ଏହା ଇସ୍ରାଏଲ ପାଇଁ ନିୟମ। 
ଏହା ଯାକୁବର ପରମେଶ୍ୱରଙ୍କର ଆଦେଶ ଅଟେ। 
5 ପରମେଶ୍ୱର ଯୋଷେଫଙ୍କ ଲୋକମାନଙ୍କ ପାଇଁ ଏହି ନିୟମ କରିଥିଲେ। 
ଯେତେବେଳେ ପରମେଶ୍ୱର ମିଶର ଭୂମି ବିରୁଦ୍ଧରେ ଗଲେ, 
ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ଯାହା ମୁଁ ବୁଝିପାରିଲି ନାହିଁ। 
6 ପରମେଶ୍ୱର କହିଲେ, “ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦେଲୁ। 
ତାହାର ହସ୍ତ ଟୋକେଇରୁ ମୁକ୍ତ ହେଲା। 
7 ତୁମ୍ଭେମାନେ ଯେତେବେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାଯ୍ୟ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। 
ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦେଲୁ। 
ଆମେ ମିରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।” 
8 “ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ, 
ହେ ଇସ୍ରାଏଲ, ଆମ୍ଭର କଥା ଶୁଣ! ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ। 
9 ତୁମ୍ଭେମାନେ ଅନ୍ୟ କୌଣସି ଦେବତାକୁ ପୂଜା କରିବ ନାହିଁ। 
ଯାହାକୁ ବିଦେଶୀମାନେ ପୂଜା କରୁଛନ୍ତି। 
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, 
ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ। 
ତୁମ୍ଭର ମୁଖ ବଡ଼ କରି ଖୋଲ, 
ଆମ୍ଭେ ଖୁଆଇ ଦେବା। 
11 “କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। 
ଇସ୍ରାଏଲବାସୀ ଆମ୍ଭର କଥା ମାନିଲେ ନାହିଁ। 
12 ତେଣୁ ଆମ୍ଭେ ସେମାନଙ୍କୁ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟ କରିବାକୁ ଦେଲୁ। 
ଇସ୍ରାଏଲୀୟମାନେ ସେମାନଙ୍କର ଇଚ୍ଛାନୁସାରେ କାର୍ଯ୍ୟମାନ କଲେ। 
13 ଭଲହୁଅନ୍ତା, ଯଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥା’ନ୍ତେ 
ଓ ଇସ୍ରାଏଲବାସୀ ଆମ୍ଭେ ଗ୍ଭହିଁଥିବା ଅନୁସାରେ ରହିଥା’ନ୍ତେ? 
14 ତେବେ, ଆମ୍ଭେ ସେମାନଙ୍କର ଶତ୍ରୁମାନଙ୍କୁ ପରାସ୍ତ କରିବା। 
ଆମ୍ଭେ ସେମାନଙ୍କର ଶତ୍ରୁଗଣକୁ ଦଣ୍ଡିତ କରିବା। 
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। 
ସେମାନଙ୍କର ଦଣ୍ଡ ଚିରଦିନ ଧରି ରହିବ ଓ ସର୍ବଦା ଦଣ୍ଡ ପାଇବେ। 
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। 
ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦେଇ ସନ୍ତୁଷ୍ଟ କରିବା।” 
