ଅବ୍ରହାମଙ୍କର ଉଦାହରଣ
4
1 ତା’ହେଲେ ଆମ୍ଭର ଜାଗତିକ ପୂର୍ବପୁରୁଷ ଅବ୍ରହାମଙ୍କ ବିଷୟରେ କ’ଣ କହି ପାରିବା? 2 ସେ ବିଶ୍ୱାସ ବିଷୟରେ କ’ଣ ଶିଖିଲେ? ଅବ୍ରହାମ ଯଦି ନିଜର କର୍ମ ପାଇଁ ଧାର୍ମିକ ବୋଲି ଧରା ହେଲେ, ତା’ହେଲେ, ସେଥିରେ ତାହାଙ୍କର ଗର୍ବ କରିବା କଥା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କ ଆଗରେ ଗର୍ବ କରି ପାରିଲେ ନାହିଁ। 3 ଶାସ୍ତ୍ର କୁହେ, “ଅବ୍ରହାମ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖିଲେ। ପରମେଶ୍ୱର ତାହାଙ୍କର ବିଶ୍ୱାସକୁ ଗ୍ରହଣ କଲେ। ଏହା ଦ୍ୱାରା ପରମେଶ୍ୱରଙ୍କ ପ୍ରତି ଅବ୍ରହାମ ଧାର୍ମିକ ହେଲେ।”✡
4 କାମ କରୁଥିବା ଲୋକକୁ ମଜୁରୀ ବା ଦରମା ଦେବା ଦାନ ନୁହେଁ। ସେ ମଜୁରୀ ବା ଦରମା ଅର୍ଜନ କରେ। 5 କିନ୍ତୁ ଜଣେ ଲୋକ ପରମେଶ୍ୱରଙ୍କ ପ୍ରତି ଧାର୍ମିକ ହେବା ଭଳି କାମ କରି ପାରେ ନାହିଁ। ତାହାର ପରମେଶ୍ୱରଙ୍କ ପ୍ରତି ବିଶ୍ୱାସ ରହିବା ଉଚିତ୍। ତା’ହେଲେ ପରମେଶ୍ୱର ସେ ଲୋକର ବିଶ୍ୱାସକୁ ଗ୍ରହଣ କରନ୍ତି ଓ ଏହା ତାହାକୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରେ। ପରମେଶ୍ୱର ମନ୍ଦ ଲୋକକୁ ମଧ୍ୟ ଧାର୍ମିକ କରି ପାରନ୍ତି। 6 ଦାଉଦ ସେହି କଥା କହୁଛନ୍ତି, ମଣିଷ ଯାହା କରିଛି ତାହାର ହିସାବ ନ କରି ପରମେଶ୍ୱର ଯେତେବେଳେ ତାହାକୁ ଧାର୍ମିକ ହିସାବରେ ଗଣନା କରନ୍ତି, ସେ ଲୋକ ହିଁ ପ୍ରକୃତରେ ଧନ୍ୟ:
7 “ଲୋକେ ପ୍ରକୃତରେ ଧନ୍ୟ,
ଯେତେବେଳେ ସେମାନଙ୍କର ଅପରାଧ କ୍ଷମା କରାଯାଏ,
ଓ ଯେତେବେଳେ ସେମାନଙ୍କର ପାପଗୁଡ଼ିକୁ ଢାଙ୍କି ଦିଆ ଯାଏ!
8 ଓ ସେ ଲୋକମାନେ ପ୍ରକୃତରେ ଧନ୍ୟ,
ଯେତେବେଳେ ପାପରହିତ ଭାବେ ପରମେଶ୍ୱର ତାହାଙ୍କୁ ଗ୍ରହଣ କରି ନେଇଛନ୍ତି।” ଗୀତସଂହିତା 32:1-2
9 ତେବେ ଏହି ଖୁସୀ କ’ଣ କେବଳ ସୁନ୍ନତ ହୋଇଥିବା ଯିହୂଦୀମାନଙ୍କ ପାଇଁ ଅଟେ? ବା ଯେଉଁ ଅଣଯିହୂଦୀମାନେ ସୁନ୍ନତ ହୋଇ ନାହାନ୍ତି ସେମାନଙ୍କ ପାଇଁ ମଧ୍ୟ ଅଟେ? ଆମ୍ଭେ କହି ସାରିଛୁ ଯେ, ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ ଓ ସେହି ବିଶ୍ୱାସ ଅବ୍ରହାମଙ୍କୁ ତାଙ୍କ ପ୍ରତି ଧାର୍ମିକ କଲା। 10 ଏହା ଘଟିଲା କିପରି? ପରମେଶ୍ୱର ଅବ୍ରହାମଙ୍କୁ ସୁନ୍ନତ ହେବାପରେ ଗ୍ରହଣ କଲେ, ନା ସୁନ୍ନତ ହେବା ପୂର୍ବରୁ ଗ୍ରହଣ କଲେ? ସେ ସୁନ୍ନତ ହୋଇ ସାରିଲା ପରେ ଏହା ପ୍ରକୃତରେ ଘଟି ନାହିଁ, କିନ୍ତୁ ସେ ସୁନ୍ନତ ନ ହୋଇଥିଲାବେଳେ ଏହା ଘଟିଛି।* 11 ପରମେଶ୍ୱର ଗ୍ରହଣ କରି ନେଇଛନ୍ତି ବୋଲି ପ୍ରମାଣିତ କରିବା ଲାଗି ଅବ୍ରହାମଙ୍କୁ ପରେ ସୁନ୍ନତ କରାଯାଇ ଥିଲା। ଏହି ସୁନ୍ନତ ପ୍ରମାଣ କରୁଛି ଯେ ସୁନ୍ନତ ହେବା ପୂର୍ବରୁ ପରମେଶ୍ୱରଙ୍କ ପ୍ରତି ସେ ଧାର୍ମିକ ଥିଲେ। ସେଥିପାଇଁ, ଯେଉଁମାନେ ପରମେଶ୍ୱରଙ୍କୁ ବିଶ୍ୱାସ କରନ୍ତି ଓ ସୁନ୍ନତ ହୋଇ ନାହାନ୍ତି, ସେ ସମସ୍ତ ଲୋକଙ୍କର ପିତା ଅବ୍ରହାମ ଅଟନ୍ତି। ସେମାନେ ବିଶ୍ୱାସ କରନ୍ତି ଓ ଏହି କାରଣରୁ ସେମାନେ ପରମେଶ୍ୱରଙ୍କ ପାଇଁ ଧାର୍ମିକ ବୋଲି ନିରୂପିତ ହୁଅନ୍ତି। 12 ଅସୁନ୍ନତ ଲୋକଙ୍କର ପିତା ମଧ୍ୟ ଅବ୍ରହାମ। ସୁନ୍ନତ ହୋଇଥିବା କାରଣରୁ ଅବ୍ରହାମ ସେମାନଙ୍କର ପିତା ନୁହନ୍ତି। ସୁନ୍ନତ ହେବା ପୂର୍ବରୁ ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ଯଦି ସେମାନେ ମଧ୍ୟ ସେହି ବିଶ୍ୱାସ ଗ୍ରହଣ କରନ୍ତି, ତା’ହେଲେ ଅବ୍ରହାମ ସେମାନଙ୍କର ପିତା।
ବିଶ୍ୱାସ ମାଧ୍ୟମରେ ପରମେଶ୍ୱରଙ୍କ ପ୍ରତିଜ୍ଞା ପ୍ରାପ୍ତ
13 ଅବ୍ରହାମ ଓ ତାହାଙ୍କର ବଂଶଜମାନଙ୍କୁ ପ୍ରତିଜ୍ଞା ମିଳିଥିଲା ଯେ ସେମାନେ ସଂସାରର ଉତ୍ତରାଧିକାରୀ ହେବେ। କିନ୍ତୁ ଅବ୍ରହାମ ଏହି ପ୍ରତିଶ୍ରୁତି ବ୍ୟବସ୍ଥା ପାଳନ କରିଥିବାରୁ ମିଳି ନ ଥିଲା। ବିଶ୍ୱାସ ଦ୍ୱାରା ସେ ପରମେଶ୍ୱରଙ୍କଠାରେ ଧାର୍ମିକ ହୋଇଥିବାରୁ ତାହାଙ୍କୁ ଏହି ପ୍ରତିଶ୍ରୁତି ମିଳିଥିଲା। 14 ବ୍ୟବସ୍ଥା ପାଳନ କରିବା ଦ୍ୱାରା ଯଦି ଜଣେ ଲୋକ ପରମେଶ୍ୱର ଯାହା ପ୍ରତିଜ୍ଞା ଦେଇଥିଲେ ତାହା ପାଏ, ତା’ହେଲେ ବିଶ୍ୱାସର କିଛି ଅର୍ଥ ନାହିଁ ଓ ପ୍ରତିଜ୍ଞାର କିଛି ମୂଲ୍ୟ ନାହିଁ। 15 କାରଣ ବ୍ୟବସ୍ଥା ପାଳନ ନ କରିବା ଦ୍ୱାରା ବ୍ୟବସ୍ଥା ପରମେଶ୍ୱରଙ୍କର କ୍ରୋଧ ଆଣିଥାଏ। କିନ୍ତୁ ଯଦି ବ୍ୟବସ୍ଥା ନ ଥା’ନ୍ତା, ତା’ହେଲେ ଅବାଧ୍ୟ ହେବାର ପ୍ରଶ୍ନ ଉଠିବ ନାହିଁ।
16 ସେଥିପାଇଁ ବିଶ୍ୱାସ ଦ୍ୱାରା ଲୋକେ ପରମେଶ୍ୱରଙ୍କ ପ୍ରତିଜ୍ଞା ପାଆନ୍ତି। ପ୍ରତିଜ୍ଞା ଯେପରି ଏକ ବିନା ମୂଲ୍ୟର ଦାନ ହୋଇପାରେ ସେଥିପାଇଁ ଏପରି ଘଟେ, ଯଦି ବିନା ମୂଲ୍ୟରେ ପ୍ରତିଜ୍ଞା ଦାନ ମିଳେ ତା’ହେଲେ ଅବ୍ରହାମଙ୍କ ବଂଶର ସବୁ ଲୋକେ ପ୍ରତିଜ୍ଞା ପାଇବା ସୁନିଶ୍ଚିତ। ଏହି ପ୍ରତିଜ୍ଞା କେବଳ ବ୍ୟବସ୍ଥାଧୀନ ରହିଥିବା ଲୋକଙ୍କ ପାଇଁ ନୁହେଁ। ଅବ୍ରହାମ ଭଳି ବିଶ୍ୱାସ ପୂର୍ବକ ଜୀବନଯାପନ କରୁଥିବା ସମସ୍ତ ଲୋକଙ୍କ ପାଇଁ ଏହି ପ୍ରତିଜ୍ଞା ରହିଛି। ଅବ୍ରହାମ ଆମ୍ଭ ସମସ୍ତଙ୍କର ପିତା। 17 ଶାସ୍ତ୍ରରେ ଲେଖା ଅଛି, “ମୁଁ ତୁମ୍ଭକୁ (ଅବ୍ରହାମ) ଅନେକ ଗୁଡ଼ିଏ ଜାତିର ପିତା ଘୋଷିତ କରିଛି।”✡ ପରମେଶ୍ୱରଙ୍କ ଆଗରେ ଏହା ସତ୍ୟ ଅଟେ। ଅବ୍ରହାମ ଯେଉଁ ପରମେଶ୍ୱରଙ୍କୁ ବିଶ୍ୱାସ କରିଥିଲେ, ସେହି ପରମେଶ୍ୱର ମୃତ ଲୋକଙ୍କୁ ଜୀବନ ପ୍ରଦାନ କରନ୍ତି ଓ ଯେଉଁ ଘଟଣା ଅଦ୍ୟାପି ଘଟି ନାହିଁ ସେଗୁଡ଼ିକ ଘଟିବା କଥା ନିର୍ଣ୍ଣୟ କରନ୍ତି।
18 ଅବ୍ରହାମଙ୍କର ସନ୍ତାନ ହେବାର ଆଶା ନ ଥିଲା। କିନ୍ତୁ ଅବ୍ରହାମ ପରମେଶ୍ୱରଙ୍କୁ ବିଶ୍ୱାସ କଲେ ଓ ଭରସାକୁ ବଜାୟ ରଖିଲେ। ସେଥିପାଇଁ ସେ ଅନେକ ଜାତିର ପିତା ହେଲେ। ପରମେଶ୍ୱର ତାହାଙ୍କୁ କହିଥିଲେ: “ତୁମ୍ଭର ଅଗଣିତ ବଂଶଧର ହେବେ।”✡ 19 ଅବ୍ରହାମଙ୍କୁ 100 ବର୍ଷ ବୟସ ହୋଇଥିଲା, ଅତଏବ ପିଲାପିଲି ହେବା ସମୟ ଗ୍ଭଲି ଯାଇଥିଲା। ତାହାଙ୍କ ସ୍ତ୍ରୀ ସାରା ମଧ୍ୟ ସନ୍ତାନ ଜନ୍ମ କରି ପାରିବେ ନାହିଁ, ଅବ୍ରହାମ ଏ କଥା ଭାବିଥିଲେ। 20 କିନ୍ତୁ ପରମେଶ୍ୱରଙ୍କ ପ୍ରତି ତାହାଙ୍କର ବିଶ୍ୱାସ ଦୁର୍ବଳ ହେଲା ନାହିଁ। ପରମେଶ୍ୱର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦେଇଛନ୍ତି ତାହା ସେ କରିବାରେ ସମର୍ଥ ଏଥିରେ ଅବ୍ରହାମ ଟିକେ ହେଲେ ସନ୍ଦେହ କଲେ ନାହିଁ। ବରଂ ତାହାଙ୍କର ବିଶ୍ୱାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ୱରଙ୍କୁ ଗୌରବ ଦେଲେ। 21 ଅବ୍ରହାମ ଦୃଢ଼ ଭାବରେ ଅନୁଭବ କଲେ ଯେ ପରମେଶ୍ୱର ଯାହା ପ୍ରତିଶ୍ରୁତି ଦେଇଛନ୍ତି, ତାହା କରିବାରେ ସେ ସକ୍ଷମ ଥିଲେ। 22 ସେଥିପାଇଁ ପରମେଶ୍ୱର, “ଅବ୍ରହାମଙ୍କ ବିଶ୍ୱାସକୁ ଗ୍ରହଣ କଲେ। ସେ ବିଶ୍ୱାସ ଅବ୍ରହାମଙ୍କୁ ପରମେଶ୍ୱରଙ୍କ ପ୍ରତି ଧାର୍ମିକ କରି ରଖିଥିଲା।”✡ 23 ପରମେଶ୍ୱର ଅବ୍ରହାମଙ୍କ ବିଶ୍ୱାସ ଗ୍ରହଣ କଲେ, ଏହି ବାକ୍ୟଗୁଡ଼ିକ କେବଳ ଅବ୍ରହାମଙ୍କ ପାଇଁ ଲେଖା ଯାଇ ନ ଥିଲା। 24 ଏହି ବାକ୍ୟଗୁଡ଼ିକ ଆମ୍ଭ ପାଇଁ ମଧ୍ୟ ଲେଖା ଯାଇଥିଲା। ଆମ୍ଭେ ବିଶ୍ୱାସ କରୁଥିବା ଯୋଗୁଁ ପରମେଶ୍ୱର ଆମ୍ଭକୁ ମଧ୍ୟ ଗ୍ରହଣ କରିବେ। ଆମ୍ଭେ ତାହାଙ୍କୁ ବିଶ୍ୱାସ କରୁ ଯିଏ ଆମ୍ଭର ପ୍ରଭୁ ଯୀଶୁଙ୍କୁ ମୃତ୍ୟୁରୁ ପୁନର୍ଜୀବିତ କଲେ। 25 ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ୟୁ ନିମନ୍ତେ ସମର୍ପିତ କରାହେଲା। ଆମ୍ଭକୁ ପରମେଶ୍ୱରଙ୍କଠାରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ୟୁରୁ ପୁନର୍ଜୀବିତ ହେଲେ।
✡ 4:3 ଉଦ୍ଧୃତ ଆଦିପୁସ୍ତକ 15:6 * 4:10 ପରମେଶ୍ୱର ତାଙ୍କୁ … ଘଟିଛି ଆଦିପୁସ୍ତକ 17:9-14 ✡ 4:17 ଉଦ୍ଧୃତ ଆଦିପୁସ୍ତକ 17:5 ✡ 4:18 “ତୁମ୍ଭର ଅଗଣିତ ବଂଶଧର ହେବେ” ଉଦ୍ଧୃତ ଆଦିପୁସ୍ତକ 15:5 ✡ 4:22 ଉଦ୍ଧୃତ ଆଦିପୁସ୍ତକ 15:6