ଚତୁର୍ଥ ପୁସ୍ତକ
90
(ଗୀତସଂହିତା 90-106)
ପରମେଶ୍ୱରଙ୍କ ଲୋକ ମୋଶାଙ୍କର ପ୍ରାର୍ଥନା।
ହେ ପ୍ରଭୁ, ତୁମ୍ଭେ ବଂଶାନୁକ୍ରମେ ଆମ୍ଭମାନଙ୍କର ବାସସ୍ଥାନ ହୋଇଅଛ।
ହେ ପରମେଶ୍ୱର, ତୁମ୍ଭେ ପର୍ବତମାଳାର ସୃଷ୍ଟି ପୂର୍ବରୁ
ଏବଂ ପୃଥିବୀ ଓ ଜଗତ ସୃଷ୍ଟି ପୂର୍ବରୁ ପରମେଶ୍ୱର ଥିଲ।
ତୁମ୍ଭେ ଚିରକାଳ ପରମେଶ୍ୱର ହୋଇ ରହିବ।
ତୁମ୍ଭେ ଲୋକମାନଙ୍କୁ ପୃଥିବୀକୁ ଆଣିଛ
ଏବଂ ପରିଶେଷରେ ତୁମ୍ଭେ ସେମାନଙ୍କୁ ଧୂଳିରେ ପରିଣତ କରିଛ।
ତୁମ୍ଭ ଦୃଷ୍ଟିରେ, ସହସ୍ର ବର୍ଷ ଗତକାଲିର ତୁଲ୍ୟ
ଓ ରାତ୍ରିର ଅଳ୍ପ ସମୟପରି।
ତୁମ୍ଭେ ସେମାନଙ୍କର ଜୀବନକୁ ଉଚ୍ଛେଦ କରିଛ, ଯାହା ମୃତ୍ୟୁରେ ଶୋଇ ଥିବା ପରି।
ପ୍ରଭାତରେ ସେମାନେ ଗୁଜୁରିବା ତୃଣପରି।
ପ୍ରାତଃକାଳରେ ତୃଣ ସତେଜ ହୋଇ ବଢ଼େ।
ସନ୍ଧ୍ୟାକାଳରେ ତାହା ଶୁଖି ମରିଯାଏ।
ହେ ପରମେଶ୍ୱର, ତୁମ୍ଭ କ୍ରୋଧରେ ଆମ୍ଭେମାନେ କ୍ଷୟ ହେଉ।
ପୁଣି ତୁମ୍ଭ କ୍ରୋଧ ଆମ୍ଭଙ୍କୁ ଭୟଭୀତ କରେ।
ତୁମ୍ଭେ ଆମ୍ଭମାନଙ୍କର ପାପ ବିଷୟରେ ଜାଣ।
ତୁମ୍ଭେ ମଧ୍ୟ ଆମ୍ଭମାନଙ୍କର ଗୁପ୍ତ ପାପ ଦେଖିଅଛ।
ତୁମ୍ଭର କ୍ରୋଧ ଆମ୍ଭମାନଙ୍କ ଜୀବନକୁ ଶେଷ ଦିନ କରିଦେଇ ଥାଏ।
ଆମ୍ଭେ ଆମ୍ଭର ବର୍ଷ ଅତିଶୀଘ୍ର ସମାପ୍ତ କରୁଥାଉ।
10 ଆମ୍ଭେ ହୁଏତ ସତୁରି ବର୍ଷ ବଞ୍ଚିପାରୁ,
ଅଥବା ଯଦି ଆମ୍ଭେ ଶକ୍ତିଶାଳୀ ତେବେ ଅଶୀ ବର୍ଷ ବଞ୍ଚିପାରୁ।
ଆମ୍ଭମାନଙ୍କର ଜୀବନ କଠିନ ପରିଶ୍ରମ ଓ ଯନ୍ତ୍ରଣାରେ ଭରପୁର ହୋଇଥାଏ।
ଏହା ପରେ ହଠାତ୍ ଆମ୍ଭର ଜୀବନ ସମାପ୍ତ ହୁଏ ଓ ଆମ୍ଭେ ଉଡ଼ିଯାଉ।
11 କୌଣସି ଲୋକ ବାସ୍ତବରେ ତୁମ୍ଭର କ୍ରୋଧ ଦୂରତା ଜାଣନ୍ତି ନାହିଁ।
କିନ୍ତୁ ତୁମ୍ଭର କ୍ରୋଧ ତୁମ୍ଭେ ଆଶା କରୁଥିବା ସମ୍ମାନଠାରୁ ଅଧିକ।
12 ଆମ୍ଭକୁ ଶିକ୍ଷା ଦିଅ, ଆମ୍ଭ ଜୀବନ କେତେ କ୍ଷୀଣ
ଯାହା ଫଳରେ ଆମ୍ଭେ ବୁଦ୍ଧିମାନ୍ ହୋଇ ପାରିବୁ।
13 ହେ ସଦାପ୍ରଭୁ, ଆମ୍ଭ ପାଖକୁ ଫେରି ଆସ, ଆଉ କେତେ ଦିନ ତୁମ୍ଭେ ଅପେକ୍ଷା କରିବ?
ଆପଣା ଦାସ ପ୍ରତି ଦୟା କର।
14 ପ୍ରଭାତରେ, ଆମ୍ଭମାନଙ୍କୁ ତୁମ୍ଭ ଦୟାରେ ତୃପ୍ତ କର।
ଆମ୍ଭମାନଙ୍କୁ ଯାବଜ୍ଜୀବନ ଖୁସୀ ଓ ଆନନ୍ଦିତ ହେବାକୁ ଦିଅ।
15 ତୁମ୍ଭେ ଜୀବନରେ ଆମ୍ଭକୁ ବହୁ ବର୍ଷଧରି କଷ୍ଟ ଓ ଯନ୍ତ୍ରଣା ଦେଲ।
ବର୍ତ୍ତମାନ ଆମ୍ଭକୁ ଆନନ୍ଦିତ କର, ଯେପରି ଯଥାର୍ଥ।
16 ତୁମ୍ଭେ କରିପାରୁଥିବା ଆଶ୍ଚର୍ଯ୍ୟ କର୍ମସବୁ ତୁମ୍ଭର ଦାସମାନଙ୍କୁ ଦେଖିବାକୁ ଦିଅ
ଏବଂ ସେମାନଙ୍କ ସନ୍ତାନଗଣଙ୍କୁ ତୁମ୍ଭର ମହିମା ଦେଖାଅ।
17 ହେ ପରମେଶ୍ୱର ଆମ୍ଭମାନଙ୍କ ପ୍ରଭୁ, ଆମ୍ଭମାନଙ୍କୁ ଦୟାକର।
ଆମ୍ଭର କାର୍ଯ୍ୟ ଆମ୍ଭକୁ ସମର୍ଥନ କରେ,
ତେଣୁ ଦୟାକରି ଆମ୍ଭର କାର୍ଯ୍ୟକୁ ସମର୍ଥନ କର ଓ ଏହାକୁ ସଫଳ କରାଅ।