91
1 ଯେଉଁ ବ୍ୟକ୍ତି ସର୍ବୋପରିସ୍ଥ ପରମେଶ୍ୱର ପାଖକୁ ଯାଏ, 
ସେ ସର୍ବଶକ୍ତିମାନ ପରମେଶ୍ୱରଙ୍କ ଛାୟା ତଳେ ନିରାପତ୍ତା ପାଇଁ ବସତି କରିବ। 
2 ମୁଁ ସଦାପ୍ରଭୁଙ୍କୁ କହିଲି, “ତୁମ୍ଭେ ମୋର ଆଶ୍ରୟ ଓ ଦୁର୍ଗ, 
ମୋର ପରମେଶ୍ୱର, ମୁଁ ତୁମ୍ଭ ନିକଟରେ ବିଶ୍ୱାସ ରଖେ।” 
3 ପରମେଶ୍ୱର ତୁମ୍ଭକୁ ଗଭୀର ଜଳରୁ ରକ୍ଷା କରିବେ 
ଓ ସର୍ବନାଶକ ମହାମାରୀରୁ ରକ୍ଷା କରିବେ। 
4 ତୁମ୍ଭେ ପରମେଶ୍ୱରଙ୍କ ନିକଟକୁ ସୁରକ୍ଷା ନିମନ୍ତେ ଯାଇପାରିବ। 
ପକ୍ଷୀ ତା’ର ଛୁଆମାନଙ୍କ ଉପରେ ଡେଣା ମେଲାଇ ରଖିଲା ଭଳି ସେ ତୁମ୍ଭକୁ ରକ୍ଷା କରିବେ। 
ସେ ତୁମ୍ଭର ରକ୍ଷାକାରୀ ଢାଲ ଓ ପ୍ରାଚୀର ଦୁର୍ଗ ସ୍ୱରୂପ ହେବେ। 
5 ତୁମ୍ଭେ ରାତ୍ରିରେ ଭୟଭୀତ ହେବାର ଦରକାର ନାହିଁ। 
କିଅବା ଦିନରେ ଶତ୍ରୁମାନଙ୍କର ବାଣ ପ୍ରତି ଭୟଭୀତ ହେବ ନାହିଁ। 
6 ଅନ୍ଧକାରଗାମୀ ମହାମାରୀ, 
କିଅବା ମଧ୍ୟାହ୍ନରେ ସଂହାରକାରୀ ରୋଗ ବିଷୟରେ ଭୀତ ହେବ ନାହିଁ। 
7 ତୁମ୍ଭ ପକ୍ଷରେ ହଜାର ହଜାର ଶତ୍ରୁମାନ ମାରିବା ସହଜ। 
ତୁମ୍ଭର ଦକ୍ଷିଣ ହସ୍ତ ଦଶ ହଜାର ଶତ୍ରୁଙ୍କୁ ପରାସ୍ତ କରିବ, 
କିନ୍ତୁ ତୁମ୍ଭେ ଆଘାତପ୍ରାପ୍ତ ହେବ ନାହିଁ। 
8 ତୁମ୍ଭେ ଦେଖିବ ଯେ, ଦୁଷ୍ଟ ଲୋକମାନେ ଦଣ୍ଡିତ ହୋଇଛନ୍ତି। 
ତୁମ୍ଭେ ଏହାକୁ ନିଜ ଆଖିରେ ଦେଖି ପାରିବ। 
9 ପ୍ରକୃତରେ ସଦାପ୍ରଭୁ ହେଉଛନ୍ତି ନିରାପତ୍ତାର ସ୍ଥାନ! 
ଯଦି ପରମେଶ୍ୱରଙ୍କୁ ତୁମ୍ଭେ ଆପଣା ସୁରକ୍ଷାର ସ୍ଥାନ କରିବ। 
10 ତୁମ୍ଭର କୌଣସି ବିପଦ ଘଟିବ ନାହିଁ। 
କୌଣସି ଦୁର୍ବିପାକ ତୁମ୍ଭ ଗୃହକୁ ଆସିବ ନାହିଁ। 
11 ପରମେଶ୍ୱର ତୁମ୍ଭ ରକ୍ଷା ପାଇଁ ଦୂତମାନଙ୍କୁ ଆଦେଶ ଦେବେ। 
ତୁମ୍ଭେ ଯେଉଁଠାକୁ ଗଲେ ମଧ୍ୟ, ସେମାନେ ତୁମ୍ଭକୁ ସୁରକ୍ଷା ଦେବେ। 
12 ତୁମ୍ଭଙ୍କୁ ଦୂତମାନେ ସାହାଯ୍ୟ କରିବେ, 
ଯେପରିକି ତୁମ୍ଭର ପାଦ ପଥରରେ ବାଡ଼େଇ ନ ହୁଏ। 
13 ତୁମ୍ଭେ ସିଂହ ଏବଂ ସର୍ପ ଉପରେ ମାଡ଼ି ଗ୍ଭଲି ଯିବ। 
ତୁମ୍ଭେ ଯୁବା ସିଂହ ଓ କାଳସର୍ପକୁ ପାଦତଳେ ଦଳି ଦେବ। 
14 ସଦାପ୍ରଭୁ କହନ୍ତି, “ଯଦି କୌଣସି ଲୋକ ଆମ୍ଭଙ୍କୁ ପ୍ରେମ କରେ ଆମ୍ଭେ ତାଙ୍କୁ ରକ୍ଷା କରିବା 
ଓ ଯେଉଁମାନେ ଆମ୍ଭଙ୍କୁ ପ୍ରକୃତରେ ଜାଣନ୍ତି, ସେମାନଙ୍କୁ ଆମ୍ଭେ ଉଚ୍ଚରେ ରଖିବା। 
15 ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା। 
ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା। 
ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା। 
16 ଆମ୍ଭେ ଆପଣା ଅନୁସରଣକାରୀମାନଙ୍କୁ ଦୀର୍ଘାୟୁ କରିବା 
ଏବଂ ଆମ୍ଭେ ସେମାନଙ୍କୁ ରକ୍ଷା କରିବା।” 
